ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) -ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬ ଅଂଶବିଶେଷ ଭାବେ ବ୍ୟବହୃତ ଜଳ ପରିଚାଳନା ଉପରେ ଆୟୋଜିତ ବୈଷୟିକ ସମ୍ମିଳନୀ ଗତକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବରିଷ୍ଠ ସରକାରୀ ଅଧିକାରୀ, ଯନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍, ପ୍ରଯୁକ୍ତିବିତ୍ ଏବଂ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇ ବର୍ଜ୍ୟଜଳ ବିଶୋଧନ, ପୁନଃବ୍ୟବହାର ଏବଂ ସମ୍ପଦ ପୁନରୁଦ୍ଧାର ପାଇଁ ସ୍ଥାୟୀ, ନିରାପଦ ତଥା ଆର୍ôଥକ ଦୃଷ୍ଟିକୋଣରୁ ସୁଲଭ ଉପାୟ ଉପରେ ଆଲୋଚନା କରିଥିଲେ ।
ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ରୁତ ସହରୀକରଣ ପରିପ୍ରେକ୍ଷୀରେ ପ୍ରଭାବଶାଳୀ ବ୍ୟବହୃତ ଜଳ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶୋଧିତ ବର୍ଜ୍ୟଜଳ ଏବଂ ସ୍ଲଜ୍ (କାଦୁଅ/ଅବଶେଷ)ର ନିରାପଦ ଓ ମିତବ୍ୟୟୀ ପରିଚାଳନା ଉପରେ ଜୋର ଦେଇଥିଲେ । ଏଥିସହ ବର୍ଜ୍ୟଜଳକୁ ଆବର୍ଜନା ପରିବର୍ତେ ଏକ ମୂଲ୍ୟବାନ ସମ୍ପଦରେ ପରିଣତ କରିପାରୁଥିବା ସମାଧାନ ଉପରେ ଅଧିକ ଧ୍ୟାନ ଦେବାକୁ ସେ ଆହ୍ୱାନ ଜଣାଇଥିଲେ ।
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କେବଳ ବର୍ଜ୍ୟଜଳ ବିଶୋଧନ ଓ ନିଷ୍କାସନ ମଧ୍ୟରେ ସୀମିତ ନ ରହି ବିଶୋଧିତ ଜଳର ଯୋଜନାବଦ୍ଧ ଏବଂ ନିରାପଦ ପୁନଃବ୍ୟବହାର ଦିଗରେ ଅଗ୍ରସର ହେବା ଉପରେ ଗୁରୁତ୍ୱ ଦେଇଥିଲେ । ବିଶୋଧିତ ଜଳର ପ୍ରଭାବଶାଳୀ ପୁନଃବ୍ୟବହାରକୁ ସହଜ କରିପାରୁଥିବା ବ୍ୟବହାରିକ, ସ୍ଥାୟୀ ତଥା ବ୍ୟାପକ ସମାଧାନ ବିକଶିତ କରିବାକୁ ସେ ପ୍ରଯୁକ୍ତିବିତ୍ ଓ ବୃତିଧାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ଥାୟୀ ସହରାଂଚଳ ଜଳ ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିଶୋଧିତ ବର୍ଜ୍ୟଜଳକୁ ଗ୍ରହଣ କରିବା ପାଇଁ ଅଧିକ ସୁଦୃଢ଼ ବୈଷୟିକ ଓ ପ୍ରତିଷ୍ଠାନଗତ ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏହି ସମ୍ମିଳନୀ ଜାତୀୟ ଦୃଷ୍ଟିକୋଣ, ରାଜ୍ୟସ୍ତରୀୟ ଅନୁଭୂତି ଏବଂ ବୈଷୟିକ ଦକ୍ଷତାକୁ ଏକତ୍ର କରିଥିଲା ।
ସିପିଏଚଇଇଓର ଡଃ ଭି. କେ. ଚୌରାସିଆ ଜାତୀୟ ସ୍ତରର ଉତ୍କୃଷ୍ଟ ଅଭ୍ୟାସ, ପ୍ରଯୁକ୍ତିବିଦ୍ୟା, ନୀତିଗତ ଦୃଷ୍ଟିକୋଣ ଏବଂ ବ୍ୟବହୃତ ଜଳ ପରିଚାଳନାର ଭବିଷ୍ୟତ ଦୃଷ୍ଟିକୋଣ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ ।
ଏହି ସମ୍ମିଳନୀର ମୁଖ୍ୟ ବାର୍ତା ଥିଲା ଉପଯୁକ୍ତ ନୀତି, ଅଭିନବ ପ୍ରଯୁକ୍ତିବିଦ୍ୟା, ସୁଦୃଢ଼ ଯୋଜନା ଏବଂ ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା ତଥା ପ୍ରଯୁକ୍ତିବିତ୍ମାନଙ୍କ ମିଳିତ ସହଯୋଗରେ ବିଶୋଧନ ଏବଂ ନିଷ୍କାସନ' ପଦ୍ଧତିରୁ ବିଶୋଧନ, ପୁନଃବ୍ୟବହାର ଏବଂ ପୁନରୁଦ୍ଧାର' ମଡେଲ ଆଡ଼କୁ ଅଗ୍ରସର ହେବା। ଏପରି ଦୃଷ୍ଟିକୋଣ ଓଡ଼ିଶାର ସହରାଂଚଳ ଜଳ ସୁରକ୍ଷା, ପରିବେଶଗତ ସ୍ଥିରତା ଏବଂ ଏକ ଚକ୍ରାକାର ଜଳ ଅର୍ଥବ୍ୟବସ୍ଥା ଦିଗରେ ପରିବର୍ତନକୁ ଯଥେଷ୍ଟ ସୁଦୃଢ଼ କରିପାରିବ ।
ଇଆଇସି (ଜନସ୍ୱାସ୍ଥ୍ୟ) ଇଂ. ବିଳାସ ବେହେରା, ୱାଟକୋ ପରିଚାଳନା ନିର୍ଦ୍ଦେଶକ ଇଂ. ଦେବବ୍ରତ ମହାନ୍ତି ଏବଂ ଇଆଇସି ଇଂ. ଭାଗ୍ୟଧର ମହାନ୍ତି ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା



