ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ପୁଣି ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଷ୍ଟାର୍ ଏୟାର୍ ପକ୍ଷରୁ ଏହି ରୁଟ୍ ର ସେବା ପୁନଃ ଚାଲୁ କରାଯିବା ନେଇ ଵୀର ସୁରେନ୍ଦ୍ର ସାଏ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସଂଶୋଧିତ କାର୍ଯ୍ୟସୂଚୀ ଦିଆଯାଇଛି।
ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଧୋଣ୍ଡିଆ ଏହି ସୂଚନା ଦେଇ କହିଛନ୍ତି ଯେ, ଷ୍ଟାର୍ ଏୟାର୍ ସେପ୍ଟେମ୍ବର ୪ରୁ ଝାରସୁଗୁଡ଼ା ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପୁଣି ଆରମ୍ଭ କରିବ।
ଉଲ୍ଲେଖଯୋଗ୍ୟ, ଷ୍ଟାର୍ ଏୟାର୍ ଅପରେସନାଲ୍ କାରଣ ଦର୍ଶାଇ ଅଗଷ୍ଟ ୧୭ରୁ ଅକ୍ଟୋବର ୨୪, ୨୦୨୬ ପର୍ଯ୍ୟନ୍ତ ହାଇଦ୍ରାବାଦ-ଝାରସୁଗୁଡ଼ା-ଭୁବନେଶ୍ୱର ରୁଟ୍ ରେ ବିମାନ ସେବା ବନ୍ଦ ରଖିବାକୁ ଘୋଷଣା କରିଥିଲା। ବିମାନ ଇନ୍ଧନ (ଏଟିଏଫ୍) ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ରୁଟ୍ ର ପରିଚାଳନା ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଥିବା ସୂଚନା ମିଳିଥିଲା। ଏହା ସହିତ ରୁଟ୍ କୁ ଚାଲୁ ରଖିବା ପାଇଁ ଆଉ ୬ ମାସ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ବୃଦ୍ଧି କରିବାକୁ ଷ୍ଟାର୍ ଏୟାର୍ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।
ବିମାନ ସେବା ବନ୍ଦ ହେବା ପରେ ଝାରସୁଗୁଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ସହ ସିଧାସଳଖ ବିମାନ ସଂଯୋଗ ପୁନଃସ୍ଥାପନ ଦାବି ଜୋରଦାର ହୋଇଥିଲା।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଏହି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିକଟରେ ଉଠାଇଥିଲେ। ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଏହି ବିମାନ ସେବାର ଗୁରୁତ୍ୱ ସେ ଉଲ୍ଲେଖ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ସେବା ପୁନଃସ୍ଥାପନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।
ବର୍ତ୍ତମାନ ଵୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ନିୟମିତ ବିମାନ ଚଳାଚଳ କରୁଥିବା ଏକମାତ୍ର ଏୟାରଲାଇନ୍ସ ହେଉଛି ଇଣ୍ଡିଗୋ। ଏହା ଝାରସୁଗୁଡ଼ାକୁ ଦିଲ୍ଲୀ, କୋଲକାତା ଓ ଅନ୍ୟାନ୍ୟ ପ୍ରମୁଖ ସହର ସହ ଯୋଡ଼ିଥାଏ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


