ଭୁବନେଶ୍ବର , 24 ଅଗଷ୍ଟ (ହି.ସ.) ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ କୁ ନେଇ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳବନ୍ତରାୟ ଡବଲ ଇଞ୍ଜିନ ସରକାରଙ୍କ ରାଜ୍ୟ ବିରୋଧୀ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ ।
କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍କୁ କେନ୍ଦ୍ର ବିଜେପି ସରକାର ବିନା ଆଲୋଚନାରେ ସଂସଦରେ ପାରିତ କରାଇଛନ୍ତି । ସୁପି୍ରମକୋର୍ଟ ଯେତେବେଳେ ରାଜ୍ୟଗୁଡ଼ିକର ରାଜସ୍ୱ ଅଧିକାରୀକୁ ସ୍ୱୀକୃତି ଦେଇଛନ୍ତି, ସେତେବେଳେ ରାଜ୍ୟ ମାନଙ୍କ ସହିତ ବିନା ଆଲୋଚନା ଓ ପରାମର୍ଶରେ କେନ୍ଦ୍ର ସରକାର କାହିଁକି ଆଇନ ମାଧ୍ୟମରେ ଏହି ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି ? ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଥିଲେ । ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ । କିନ୍ତୁ ତାହାକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ହକ୍କୁ ଛଡ଼ାଇ ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଧାନସଭାରେ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ବିଜେପି ତାହାର ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ତାହା କରୁନାହିଁ । ଏହି ବିଲ୍ ଫଳରେ ବକେୟା ଥିବା ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଖଣି ରାଜସ୍ୱ ଆଦାୟ ହୋଇପାରିବ ନାହିଁ । ଖଣି ମାଲିକଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି ଡବଲ ଇଞ୍ଜିନ ସରକାର ।
ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ ଯେ, ଏମଏମଡିଆର ଆଇନ ବଳରେ କେନ୍ଦ୍ର ବିଜେପି ସରକାର ଯୋଜନାବଦ୍ଧ ଭାବେ ରାଜ୍ୟର ଅର୍ଥନୈତିକ ହକ୍କୁ ଛଡ଼ାଇ ନେଲେ । ରାଜ୍ୟ ଆର୍ଥିକ କ୍ଷତି ସହିବାକୁ ଯାଉଥିବା ବେଳେ ସମସ୍ତ ବିଜେପି ସାଂସଦ ମାନେ ସଂସଦରେ ମୁଁହ ଖୋଲିଲେ ନାହିଁ । ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ହାତରେ ରାଜ୍ୟର ହକକୁ ଟେକି ଦେଇଛନ୍ତି । ଯାହା ଫଳରେ ଆଗକୁ ବଜେଟ ପାଇଁ ଅଧିକ ଋଣ କରିବ ଓଡ଼ିଶା । ଭବିଷ୍ୟତ ପିଢ଼ିଙ୍କ ଉପରେ ଋଣ ଭାର ବୃଦ୍ଧି ପାଇବ । ବିଜେପି ସରକାରଙ୍କୁ କର୍ପୋରେଟ ଚିନ୍ତା ଘାରିଥିବା ବେଳେ ଲୋକଙ୍କ ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ତେଣୁକରି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଲଢେଇ ଜାରି ରଖିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


