ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ପୂର୍ବତନ
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଏହି ଅବସରରେ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ
ତଥା ପଦ୍ମ ବିଭୂଷଣ ସମ୍ମାନିତ ଶ୍ରୀ ଅରୁଣ ଜେଟଲୀ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଗଭୀର ଶ୍ରଦ୍ଧାର
ସହ ସ୍ମରଣ କରୁଛି। ତାଙ୍କର ଦୂରଦୃଷ୍ଟି,
ପ୍ରଶାସନିକ ଦକ୍ଷତା ଓ ରାଷ୍ଟ୍ରନୀତିଜ୍ଞତା ସହିତ ଭାରତର ଆର୍ଥିକ ଓ
ପ୍ରତିଷ୍ଠାନଗତ ବିକାଶ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପଦ୍ମବିଭୂଷଣ
ଅରୁଣ ଜେଟଲୀ ଜୀଙ୍କ ପୂଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ର ନିର୍ମାଣ, ଅର୍ଥନୈତିକ
ସଂସ୍କାର ତଥା ଦେଶର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ଆମକୁ ପ୍ରେରଣା ଯୋଗାଉଥିବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ,ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ପଦ୍ମ ବିଭୂଷଣ ସମ୍ମାନିତ ଶ୍ରୀ
ଅରୁଣ ଜେଟଲୀ ଜୀଙ୍କ ପୁଣ୍ୟତିଥିରେ ମୁଁ ଜଣେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞଙ୍କୁ ସ୍ନେହଭରା ସ୍ମରଣ
କରୁଛି,
ତାଙ୍କର ତୀକ୍ଷ୍ଣ ବୁଦ୍ଧିମତ୍ତା, ବାକ୍ପଟୁତା ଏବଂ ଜନସାଧାରଣଙ୍କ ସମ୍ବନ୍ଧୀୟ ବିଷୟଗୁଡ଼ିକର ଗଭୀର
ଜ୍ଞାନ ଭାରତର ଗଣତାନ୍ତ୍ରିକ ଯାତ୍ରାକୁ ସମୃଦ୍ଧ କରିଥିଲା। ଦେଶ ପାଇଁ ତାଙ୍କର ଅବଦାନ, ବିଶେଷକରି ଆର୍ଥିକ ଓ ପ୍ରତିଷ୍ଠାନଗତ ସଂସ୍କାରକୁ ସୁଦୃଢ଼ କରିବାରେ
ତାଙ୍କର ଭୂମିକା, ତାଙ୍କର
ଚିରସ୍ଥାୟୀ ଐତିହ୍ୟର ଏକ ଅବିଚ୍ଛିନ୍ନ ଅଂଶ ହୋଇ ରହିଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଜସ୍ୱୀ ବକ୍ତା ‘ପଦ୍ମ ବିଭୂଷଣ’ ଅରୁଣ
ଜେଟଲିଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ ଜଣାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ,ଭାରତର ପୂର୍ବତନ ଅର୍ଥମନ୍ତ୍ରୀ 'ପଦ୍ମ ବିଭୂଷଣ' ସ୍ବର୍ଗତ
ଅରୁଣ ଜେଟଲୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଭାରତର ଅର୍ଥମନ୍ତ୍ରୀ ଭାବେ 'ସରଳ ଓ
ସୁଗମ' କର
ବ୍ୟବସ୍ଥା ଜିଏସଟିଲାଗୁ କରିବା ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାପକ ସଂସ୍କାର
ଆଣିବାରେ ତାଙ୍କର ଅବଦାନ ଅତୁଳନୀୟ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ‘ପଦ୍ମ
ବିଭୂଷଣ’ ଶ୍ରୀ ଅରୁଣ ଜେଟଲୀ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କର
ତାର୍କିକ ଦୃଷ୍ଟିକୋଣ, ନୀତିଗତ ବୁଝାମଣା ଏବଂ ରାଷ୍ଟ୍ରହିତ ପ୍ରତି ଅତୁଟ ପ୍ରତିବଦ୍ଧତା ଦେଶର
ଆର୍ଥିକ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ନୂଆ ଦିଗ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନିଭାଇଥିଲା। ବଡ଼ ଭାଇ ଭାବେ ତାଙ୍କଠାରୁ ମିଳିଥିବା ସ୍ନେହ ଓ ମାର୍ଗଦର୍ଶନ ମୋ ଜୀବନର ଅମୂଲ୍ୟ
ସ୍ମୃତିର ଏକ ଅବିଚ୍ଛିନ୍ନ ଅଂଶ ହୋଇ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


