ଜୟପୁର, ୨୪ ଅଗଷ୍ଟ : ଭଙ୍ଗା, ଦଦରା ଲୁହା, ପ୍ଲାଷ୍ଟିକ ଅଦରକାରୀ କାଗଜ କିଣାବିକା କରିବା ଲାଗି କୋରାପୁଟ ଜିଲ୍ଲା ଜୟପୁର ସହର ଗଢି ଉଠିଛି କବାଡିଆ ଦୋକାନ । ବାସ୍ତବ କ୍ଷେତ୍ରରେ କିଛି ଅସାମାଜିକ ଶ୍ରେଣୀର ବ୍ୟକ୍ତି କମ୍ ମଜୁରୀ ପ୍ରଦାନ କରି ଗରିବ ଶ୍ରେଣୀର କୋମଳମତି ଶିଶୁମାନଙ୍କୁ ହେଉ କିମ୍ବା କିଛି ମାନସିକ ବିକୃତ ଲୋକଙ୍କୁ ନିଶା ଦେଇ ଭଙ୍ଗା, ଦଦରା ଲୁହା ଟିଣ, ପ୍ଲାଷ୍ଟିକ ସଂଗ୍ରହ କରିବାକୁ ପଠାଉଥିବା ବେଳେ ଅସଲରେ କିଛି ଅଲଗା ଉଦ୍ଦେଶ୍ୟ ରହିଥିବାର ଜଣାପଡିଛି । ସମ୍ପୃକ୍ତ କିଛି ବ୍ୟକ୍ତି ବିଶେଷ ଗ୍ରାମାଞ୍ଚଳରେ ବିଳମ୍ବିତ ରାତ୍ରରେ ସରକାରୀ କଳ ସହ ବିଭିନ୍ନ ଯନ୍ତ୍ରାଂଶ ଚୋରାଇ ସିଧାସଳଖ କବାଡିଆ ଦୋକାନରେ ବିକ୍ରି କରୁଛନ୍ତି । ଚୋରା ସାମଗ୍ରୀକୁ କବାଡିଆ ଦୋକାନ ମାଲିକ ମାନେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ କିଣୁଥିବା ବେଳେ ସାମଗ୍ରୀର ଚାହିଦା ଅନୁସାରେ ବିଭିନ୍ନ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ଏପରିକି କିଛି ଗ୍ରାହକ ସୁଲଭ ମୂଲ୍ୟରେ ଘର କରଣା ସାମଗ୍ରୀ କିଣିବା ଲାଗି ବିଭିନ୍ନ କବାଡିଆ ଦୋକାନ ମାନଙ୍କରେ ଭିଡ଼ ଜମାଉଥିବାର ନଜିର ରହିଛି । ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମାଞ୍ଚଳରୁ ଘରୁ ଚୋରି ହେଉଥିବା ବେଳେ ଛୋଟମୋଟ ଚୋରିକୁ କେନ୍ଦ୍ର କରି ଥାନାରେ ଏତଲା ଦେଇ ଅଯଥାରେ ହଇରାଣ ହରକତ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଲୋକେ । ଏହାର ସୁଯୋଗ ନେଇ ବହୁ ଅସାମାଜିକ ଯୁବକ ଏହାର ଭରପୁର ଲାଭ ଉଠାଉଛନ୍ତି । କୋରାପୁଟ ଜିଲାର ଜୟପୁର, କୋଟପାଡ, ସେମିଳିଗୁଡା, କୋରାପୁଟ ଅଂଚଳରେ ଗଢି ଉଠିଥିବା କବାଡିଆ ଦୋକାନରେ
ରାତି ରାତି ବିରାଟକାୟ ଚୋରା ଗାଡି ସବୁ ମେସିନ ସହାୟତାରେ କାଟି ଦେଉଛନ୍ତି । କିଛି ଦିନ ତଳେ ଟ୍ରାନସଫରମରର ତାରକୁ ତମ୍ବା ତାର ଚୋରି କରି ଅଂଚଳରେ କବାଡିଆ ଦୋକାନ ବିକ୍ରି କରୁଛନ୍ତି ଦୁର୍ବୁତ । ଚୋରି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗରେ କେନାଲ ରୋଡରେ ଥିବା ଜଣେ କବାଡିଆ ଦୋକାନି ମାଲିକକୁ ଜୟପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଚୋରି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗରେ ଲକ୍ଷ୍ମୀ ପଣ୍ଡା ଛକ ସ୍ଥିତ କବାଡିଆ ଦୋକାନର ମାଲିକକୁ ବାର ବାର ଗିରଫ କରିଛି ଜୟପୁର ସଦର ପୋଲିସ ।
ଚୋରି ସାମଗ୍ରୀ କବାଡିଆ ଦୋକାନରୁ ଜବତ ହୋଇଥିଲା । କୋରାପୁଟ ଜିଲା ପୋଲିସ ବଡ଼ ଧରଣ ଯାଞ୍ଚ ସହ ଉପଯୁକ୍ତ କାଗଜ ପତ୍ରରେ କବାଡିଆ ଦୋକାନ ଚାଲୁଛି କି ନାହିଁ ଚଢଉ କରିବା ପାଇଁ ଜିଲାବାସୀ ଦାବି କରିଛନ୍ତି । ଘଟଣାକୁ ନେଇ ପୁଲିସ ପକ୍ଷରୁ କବାଡିଆ ଦୋକାନ ଗୁଡିକରେ ଅତର୍କିତ ଚଢଉ କରାଗଲେ ବହୁ ଚୋରା କାରବାରର ଗୁମର ଖୋଲିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।(ହି.ସ.)



