ଭୁବନ, ୨୪ ଅଗଷ୍ଟ(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦର ୧୬ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧ ନମ୍ବର ୱାର୍ଡ଼ କାଉନସିଲର ଗିରିଧାରୀ ସାହୁ ପ୍ରଥମେ ୱାର୍ଡ଼ ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ଟୋଲଙ୍କବେରେଣି, ବଉଳ ଛକ, ସିନେମା ହଲ୍ ଛକ ଓ ଗୋଡ଼ି ପୋଖରୀ ଛକ ଦେଇ ସହର ପରିକ୍ରମା କରିଥାଏ। ୨୦ଟି କ୍ଳବର ପ୍ରାୟ ୨ ହଜାର ଯୁବକ(ଜେନ୍ ଜି) ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ବର୍ତମାନ ଏହି ରାସ୍ତାରେ ଗାଡ଼ିଆ ସୃଷ୍ଟି ହୋଇଛି। ତେଣୁ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କରିବାକୁ ଦୃଢ଼ ଦାବି କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶୈବଭକ୍ତ ଓ ବୋଲବମ ଭକ୍ତମାନେ ମନ୍ଦିରକୁ ଯାଇ ପାରିଲେ ନାହିଁ। ଦକ୍ଷୀଣ କାଳୀ ପୀଠ ପୂର୍ବରୁ ଥିବା ଘୋଷରାରେ ପ୍ରାୟ ୨/୩ ଫୁଟ ପାଣି ପ୍ରବାହିତ ହେଉଥିଲା। ଏହି ଘୋଷରା ବଦଳରେ ବକ୍ସ କଲଭର୍ଟ କରି ଜଗନ୍ନାଥ ମନ୍ଦିର ଠାରୁ ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ସହିତ ଚିନରା ପୋଖରୀ ଠାରୁ ହିଙ୍ଗୁଳା ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ପାଇଁ ବୈଠକରେ ଦାବି ହୋଇଥିଲା। ଗୁଜୁରି ହାଟରେ ଆମିଷ ବିକ୍ରି ଯୋଗୁ ପ୍ରବଳ ଗହଳି ହେବା ସହିତ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ଶ୍ରଦ୍ଧାଳୁମାନେ ଜଗନ୍ନାଥ ମନ୍ଦିର ଓ ବୁଦ୍ଧେଶ୍ୱର ମନ୍ଦିରକୁ ଯିବାରେ ସମସ୍ୟା ହେଉଛି। ଏଥିପାଇଁ ଏକ ନୂତନ ଆମିଷ ବଜାର କରାଯିବାକୁ ଜାଗା ସ୍ଥିର କରାଯାଇଥିଲା। ଉପାଧ୍ୟକ୍ଷା ମାନିନୀ ସାହୁଙ୍କ ସମେତ କାଉନସିଲର ପପୁ କୁମାର ସାହୁ, କଳ୍ପନା ବେହେରା, ଝୁନି ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏନ୍ଏସି କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ତୃତୀୟାଂଶ ସଦସ୍ୟଙ୍କ ଉପସ୍ଥିତିରେ କୋରମ ହୋଇ ଉପରୋକ୍ତ ପ୍ରସ୍ତାବ ପାରିତ ହୋଇଥିଲା। ତେବେ ବିଧାୟକଙ୍କ ସମେତ ସମସ୍ତ ବିଜେପି କାଉନସିଲର ବୈଠକରେ ଅନୁପସ୍ଥିତ ରହିବା ଘଟଣା ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି। ଏହି ଅସହଯୋଗ ପାଇଁ ସରକାରୀ ଦଳକୁ କ୍ଷତି ସହିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲ ମତ ଦେଉଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ



