କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ : – ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସୁବାଷ ନାଥ ଶର୍ମା ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଓ ରିଲିଫ୍ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଅତିରିକ୍ତ ଏସ୍ଆର୍ସି ଶ୍ରୀ ଶର୍ମା ବନ୍ୟା ପ୍ରଭାବିତ ଅଂଚଳର ଭୂମିସ୍ତରୀୟ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ।
ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିବା ସହ ଦିଆଯାଉଥିବା ରିଲିଫ୍, ଉଦ୍ଧାର, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ବିଭିନ୍ନ ବ୍ଲକରେ ଚାଲୁଥିବା ରିଲିଫ୍ ବଂଟନ, ମୁକ୍ତ ରୋଷେଇ ବ୍ୟବସ୍ଥା, ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟ ସହ ବନ୍ୟା ପରବର୍ତୀ ଆବଶ୍ୟକ ସହାୟତା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ଓ ସୁବ୍ୟବସ୍ଥିତ ଭାବେ ରିଲିଫ୍ ଓ ଅତ୍ୟାବଶ୍ୟକ ସହାୟତା ପହଂଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ପରିଦର୍ଶନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍.ଆୟର, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ସହ ପ୍ରଭାବିତ ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ରିଲିଫ୍ ପ୍ରଦାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।



