ଝାରସୁଗୁଡ଼ା, ୨୦ ଅଗଷ୍ଟ : - କୋଲାବିରା ବ୍ଲକ୍ର ପତ୍ରାପାଲିସ୍ଥିତ ଆଦର୍ଶ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ପାଇଁ ନିଜସ୍ୱ ସ୍କୁଲ ବସ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ଆଂଚଳିକ ବିକାଶ ପରିଷଦ, ଲଇକେରା-କୋଲାବିରା-କିର୍ମିରା ପକ୍ଷରୁ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ବିଦ୍ୟାଳୟର ନିଜସ୍ୱ ବସ୍ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନେ ପ୍ରତିଦିନ ଲକ୍ଷ୍ମୀ ବସ୍ ସମେତ ଅନ୍ୟାନ୍ୟ ଘରୋଇ ବସ୍ ଉପରେ ନିର୍ଭର କରି ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବିଦ୍ୟାଳୟ ଆସିବା ଓ ଛୁଟି ସମୟରେ ବସଗୁଡ଼ିକରେ ଅତ୍ୟଧିକ ଭିଡ଼ ହେଉଥିବାରୁ ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ସୁରକ୍ଷାକୁ ନେଇ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷିତ, ନିୟମିତ ଓ ସୁବିଧାଜନକ ଯାତାୟାତ ପାଇଁ ତୁରନ୍ତ ବିଦ୍ୟାଳୟର ନିଜସ୍ୱ ବସ୍ ବ୍ୟବସ୍ଥା କରାଯିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ପରିଷଦ ଆଶା ପ୍ରକାଶ କରିଛି।
ଏହି ଅବସରରେ ପରିଷଦର ସଭାପତି ଜିତେନ୍ଦ୍ରୀୟ ଧୁରୁଆ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, କୋଷାଧ୍ୟକ୍ଷ ସୁଖ କିସାନ, ଦୁଲାମଣି ମାଝୀ, ନିଗମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।



