ଝାରସୁଗୁଡ଼ା, ୨୦ ଅଗଷ୍ଟ (ହି.ସ.)- ଜମେରା-ମରାକୁଟା ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ପାଇଁ ନୋ ଏଣ୍ଟ୍ରି ଲାଗୁ କରିବାକୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିକୁ ନେଇ ବିବାଦ ତୀବ୍ର ହୋଇଛି। ଜମେରା, ମରାକୁଟା ଓ ବଡ଼ମାଲ ଅଞ୍ଚଳର ଜନପ୍ରତିନିଧି ଓ ଗ୍ରାମବାସୀ ଗୁରୁବାର ଏକ ପ୍ରେସମିଟ୍ ରେ ବିଧାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଓଡ଼ିଶା ମେଟାଲିକ୍ସ କମ୍ପାନୀ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ରୋଜଗାର, ପାନୀୟ ଜଳ, ବିଜୁଳି ଓ ରାସ୍ତା ଭଳି ମୌଳିକ ସମସ୍ୟାକୁ ନେଇ ଆନ୍ଦୋଳନ ଚାଲିଥିଲେ ମଧ୍ୟ ବିଧାୟକ ନୀରବ ଥିଲେ। ଏବେ ହଠାତ୍ ଜମେରା-ମରାକୁଟା ରାସ୍ତାରେ ନୋ ଏଣ୍ଟ୍ରି ପାଇଁ ତତ୍ପରତା ଦେଖାଇବା ପଛର କାରଣ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନ୍ଏଚ୍-୪୯ ଦେଇ ସୁନ୍ଦରଗଡ଼, ସମ୍ବଲପୁର ଓ ବ୍ରଜରାଜନଗର ପଟୁ ହେଉଥିବା କୋଇଲା ପରିବହନ ଏବଂ ନିୟମିତ ଦୁର୍ଘଟଣା ପ୍ରସଙ୍ଗରେ ବିଧାୟକ କାହିଁକି ନୀରବ ରହିଛନ୍ତି ବୋଲି ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୬ଟା ପରେ ଭାରୀଯାନ ଚଳାଚଳ ବଢ଼ିଲେ ରାସ୍ତାରେ ଅତ୍ୟଧିକ ଭିଡ଼ ସୃଷ୍ଟି ହୋଇ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ମଧ୍ୟ ସେମାନେ କହିଛନ୍ତି।
ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ବିକାଶର ବିରୋଧୀ ନୁହନ୍ତି। ତେବେ ରାସ୍ତା ନିର୍ମାଣ ସହ ଗ୍ରାମବାସୀଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରାଯିବା ପ୍ରଥମ ଆବଶ୍ୟକତା ବୋଲି ସେମାନେ କହିଛନ୍ତି। ରୁଙ୍ଗଟା କମ୍ପାନୀ ରାସ୍ତା ନିର୍ମାଣ ସହ ସ୍ଥାନୀୟ ଲୋକଙ୍କ ମୌଳିକ ସୁବିଧା ଯୋଗାଇବାକୁ ଚାହୁଁଥିବା ବେଳେ ଏହାକୁ ନେଇ ବିଧାୟକଙ୍କ ବିରୋଧର କାରଣ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏପଟେ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ରାସ୍ତାରେ ପୂର୍ତ୍ତ ବିଭାଗ ମାଧ୍ୟମରେ କାମ ଆରମ୍ଭ କରାଯାଇଥିବା ଗ୍ରାମବାସୀ କହିଛନ୍ତି। ତେଣୁ କୌଣସି ରାଜନୈତିକ ଚାପରେ ନ ପଡ଼ି ଲୋକଙ୍କ ବାସ୍ତବ ଆବଶ୍ୟକତା ଓ ସୁରକ୍ଷାକୁ ଆଧାର କରି ପ୍ରଶାସନ ନିଷ୍ପତ୍ତି ନେବାକୁ ସେମାନେ ଦାବି କରିଛନ୍ତି।
ପ୍ରେସମିଟ୍ ରେ ଗ୍ରାମବାସୀ ବିରଞ୍ଚି ମେହେର ଗତ ଆନ୍ଦୋଳନ ସମୟରେ ଗଣମାଧ୍ୟମରେ ସ୍ୱର ଉଠାଇବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲେ। ଏହି ଘଟଣା ପଛରେ ବିଧାୟକଙ୍କ ଲୋକଙ୍କ ହାତ ଥିବା ସେ ଅଭିଯୋଗ କରିବା ସହ ଭବିଷ୍ୟତରେ ତାଙ୍କ କିମ୍ବା କୌଣସି ଗ୍ରାମବାସୀଙ୍କର ଅନିଷ୍ଟ ହେଲେ ବିଧାୟକଙ୍କୁ ଦାୟୀ କରାଯିବ ବୋଲି କହିଥିଲେ। ଏହା ଅଭିଯୋଗ ଭାବେ ଉଠାଯାଇଥିବା ବେଳେ ଏ ସମ୍ପର୍କରେ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଠାରେ ଦିଆଯାଇନାହିଁ।
ଏହି ପ୍ରେସମିଟ୍ ରେ ମରାକୁଟା ସରପଞ୍ଚ ଲିଲି ତନ୍ତୀ, ବିରଞ୍ଚି ମେହେର, ସମିତି ସଭ୍ୟା ସୁଜାତା ମେହେର, ନିର୍ମଳ ସାହୁ, ନାଏବ ସରପଞ୍ଚ ଆଶିଷ ଗାର୍ଡ଼ିଆ, ନୃପ ମେହେର, ଇନ୍ଦୁମତୀ ମେହେର, ନନ୍ଦୁ ସାହୁ, ଭୁବନ ସାହୁ ଓ ବିଭୀଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।



