ନୂଆପଡ଼ା,୨୦ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ର ବିଜୁ ଏକ୍ସପ୍ରେସ୍ ସଡ଼କରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାଷୀ ଭରତ ପାତ୍ରଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ଜିଲ୍ଲା କୃଷକ ଶକ୍ତି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିନାପାଲି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୃଷକ ଶକ୍ତି ସଂଗଠନର ଆବାହକ ସଞ୍ଜୟ ତିୱାରୀଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ଗୋଡାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରଗାଁକୁ ଯାଇ ମୃତ ଚାଷୀ ଭରତ ପାତ୍ରଙ୍କ ପରିବାରକୁ ସାକ୍ଷାତ କରିଥିଲେ। ପରେ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ସିନାପାଲି ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ କର୍ମୀ ଓରାମଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା। ମୃତ ଚାଷୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ସହ ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ବଳଦର ଚିକିତ୍ସା ଓ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ସଂଗଠନ ଦାବି କରିଛି। ବଳଦଟି ଆହତ ହୋଇଥିବାରୁ ଆଗାମୀ ଦିନରେ ଏହା କୃଷିକାର୍ଯ୍ୟରେ ସକ୍ଷମ ହେବ କି ନାହିଁ, ସେଥି ନେଇ ପରିବାର ଚିନ୍ତାରେ ରହିଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ଶକ୍ତି ସଂଗଠନର ଆବାହକ ଅଜିତ ପଣ୍ଡା, ସିନାପାଲି ଗୋଡାଲର ନରେନ୍ଦ୍ର ମାଝୀ, ପ୍ରତାପ ଗୁଆଲ, ପରମାନନ୍ଦ ଭୋଇଙ୍କ ସମେତ ମୃତ ଚାଷୀଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।




