ନୂଆପଡ଼ା, ୨୦ ଅଗଷ୍ଟ :- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରସ୍ଥିତ ବହୁମୁଖୀ ମଣ୍ଡପଠାରେ ଓଡ଼ିଶା ସାମାଜିକ ସମୀକ୍ଷା, ଦାୟିତ୍ୱ ଓ ସ୍ୱଚ୍ଛତା ମିଶନ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୭୪ଟି ବିଭାଗୀୟ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୁପାରିଶ କରାଯାଇଛି। ଖଡ଼ିଆଳ ବ୍ଲକ୍ ର୨୬ଟି ଗ୍ରାମପଞ୍ଚାୟତରେ ସାମାଜିକ ସମୀକ୍ଷକ ମାନେ ବିଭିନ୍ନ ସମୀକ୍ଷା ବିଷୟବସ୍ତୁକୁ ନେଇ କ୍ଷେତ୍ରସ୍ତରରେ ତଥ୍ୟ ସଂଗ୍ରହ ଓ ଅନୁଧ୍ୟାନ କରିଥିଲେ। ସଂଗୃହୀତ ତଥ୍ୟ ଓ ଅନୁଧ୍ୟାନରୁ ସାମ୍ନାକୁ ଆସିଥିବା ଆପତ୍ତି ଓ ଅଭିଯୋଗଗୁଡ଼ିକୁ ଜନଶୁଣାଣି ମଞ୍ଚରେ ଉପସ୍ଥାପନ କରାଯାଇ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଥିଲା। ବ୍ଲକ୍ ସ୍ତରୀୟ ସମୀକ୍ଷା କମିଟି ସଦସ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ସାମାଜିକ ସମୀକ୍ଷା କମିଟି ସଦସ୍ୟ ଅଜିତ ପଣ୍ଡା, ତପନ ଦାଶ ଓ ରୋହିତ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଶିବିରରେ ଆସିଥିବା ୭୪ଟି ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସୁପାରିଶ କରାଯାଇଥିଲା। ସମୀକ୍ଷା ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତତା ଯୋଜନା (ଏମ୍ଜିଏନ୍ଆର୍ଇଜିଏ) ଓ ସର୍ବଶିକ୍ଷା ଅଭିଯାନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସଭାକୁ ମିଳନ ପତି ପରିଚାଳନା କରିଥିଲେ।(HS)




