କେନ୍ଦୁଝର, ୨୧ ଅଗଷ୍ଟ - ଚମ୍ପୁଆ ଏନ ଏ ସି କୁ ୧୪ ବର୍ଷ ପୁରିବାକୁ ବସିଥିଲେ ହେଁ ବିଭାଗର ଆନ୍ତରିକତାର ଅଭାବ ପାଇଁ ବୁଲା ଗାଇଗୋରୁଙ୍କ ନିମିତ କାଞ୍ଜିଆ ହୋଦା ନିର୍ମାଣ କରାଯାଇ ପାରିନାହିଁ । ଚମ୍ପୁଆ ସହରର ମୁଖ୍ୟ ରାସ୍ତା ତଥା ଛକ ଗୁଡିକରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଞ୍ଜ ନଇଁଲେ ଏହି ଗୃହପାଳିତ ପଶୁଙ୍କ ଭିଡ ଜନଗହଳି ସ୍ଥାନରେ ଦେଖିବାକୁ ମିଳୁଥିବା ଫଳରେ ନିୟମିତ ଟ୍ରାଫିକ ସମସ୍ୟା, ରାସ୍ତା ଅବରୋଧ ଏବଂ ସଡ଼କ ଦୁର୍ଘଟଣା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।ସକାଳ ସମୟରେ ରାସ୍ତା ଖାଲି ରହୁଥିବା ବେଳେ ସନ୍ଧ୍ୟା ସମୟରୁ ରାତିସାରା ଗାଈଗୋରୁ,ବୁଲା କୁକୁର ମାନଙ୍କ କବଜାରେ ଚମ୍ପୁଆ ସହର ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥ ରହୁଛି। ଏହି ରାସ୍ତାରେ ଦୈନିକ ଶହଶହ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଯାତାୟତ କରୁଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡିଛି ।
ଗାଈଗୋରୁ, ବଳଦ ଓ ଷଣ୍ଢ ମାଲିକମାନେ ନିର୍ବିକାର ଭାବେ ଏମାନଙ୍କୁ ଛାଡ଼ିଦେବା ଯୋଗୁଁ ସେମାନେ କେଉଁଠି ରାସ୍ତା କ୍ୱଜା କଲେଣି ତ କେଉଁ ପରିବା ବଜାରରେ ପଶି ଦୋକାନୀମାନଙ୍କ ପରିବା ଖାଇଗଲେଣି । ପ୍ରଶାସନ ସବୁ ଦେଖି ନ ଦେଖିବା ନ୍ୟାୟରେ ବାଟ ଭାଙ୍ଗି ଚାଲି ଯାଉଛନ୍ତି । ଏନେଇ ଏନ୍ଏସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ପଚାରିବାରୁ କହିଥିଲେ କି ରାଜସ୍ୱ ବିଭାଗ ତରଫରୁ ଆମକୁ ଗୋଶାଳା ନିର୍ମାଣ ପାଇଁ ପ୍ଳଟ ନଂ ୧୩୩୮ ଓ ୧୩୩୯ରେ ଏକ ଏକର ଜାଗା ୨୫/୫/୨୦୨୫ ରେ ଯୋଗାଇ ଦିଆଯାଇଛି। ଆମେ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ପଠାଇ ସାରିଛୁ । କିନ୍ତୁ ଏପର୍ଯ୍ୟନ୍ତ କିଛି ଚିଠି ଆସିନାହିଁ । ଆନନ୍ଦପୁର, କେନ୍ଦୁଝର, ଯୋଡ଼ା,ବଡ଼ବିଲ ଆଦି ସହର ମାନଙ୍କରେ ଏପର୍ଯ୍ୟନ୍ତ ଗୋଶାଳା ମଧ୍ୟ ନାହିଁ ବୋଲି ସଫେଇ ଦେଇଥିଲେ ।୨୦୨୫ମସିହାରୁ ଜାଗା ମିଳିଥିଲେ ହେଁ ଆନ୍ତରିକତା ଅଭାବରୁ ଏପ୍ରକଳ୍ପଟି ଏବେ ମଧ୍ୟ ଆଣ୍ଠେଇ ପଡ଼ିଛି । ଏନ୍ଏସି ତରଫରୁ ମାଇକ ଦ୍ୱାରା ସଚେତନ କରିବା କିମ୍ବା ଫାଇନ ଆଦାୟ ଭଳି କୌଣସି ସତର୍କତାମୂଳକ ପଦକ୍ଷେପ ନେଉନଥିବାରୁ ଏଠାରେ ଟ୍ରାଫିକ ଜାମ ଓ ଦୁର୍ଘଟଣା ଭଳି ଗମ୍ଭୀର ସମସ୍ୟା ଦେଖାଦେଇଛି । ଏଭଳି ଅଭାବନୀୟ ପରିସ୍ଥିତି ଚମ୍ପୁଆରେ ଦେଖା ଦେଇଛି ।




