ନୂଆଦିଲ୍ଲୀ, ୨୧ ଅଗଷ୍ଟ : ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଗୁରୁତର ଭାବେ ଆହତ ଛାତ୍ର ସାହିଲ ଲୋଚଭ ଏବଂ ତାଙ୍କ ମାଆଙ୍କ ସହ ଏଫଆଇଆର ଦାଖଲ କରାଇବା ପାଇଁ ଶୁକ୍ରବାର ସଂସଦ ଥାନା ପୁଲିସ ଉପାୟୁକ୍ତ (ଡିସିପି) କାର୍ଯ୍ୟାଳୟରେ ପହଂଚିଥିଲେ। ପରେ ସେ ନିଜ ଦାବି ସପକ୍ଷରେ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିଲେ।
ରାହୁଲ ଗାନ୍ଧୀ ଅଭିଯୋଗ କରି ଏକ୍ସରେ ଲେଖିଛନ୍ତି, ଆଜି ମୁଁ ସଂସଦ ମାର୍ଗସ୍ଥିତ ଡିସିପି କାର୍ଯ୍ୟାଳୟକୁ ଯାଇଥିଲି ଯାହାଦ୍ୱାରା ସାହିଲ ଲୋଚଭଙ୍କ ସହ ହୋଇଥିବା ପୁଲିସ ବର୍ବରତା ବିରୋଧରେ ଏଫଆଇଆର ଦାଖଲ କରାଇପାରିବି। ୨୦ ଜୁଲାଇରେ ଜନ୍ତର-ମନ୍ତରରେ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା ସାହିଲଙ୍କ ଉପରେ ପୁଲିସ ପ୍ୟାଲେଟ ଗନ୍ରେ ଆକ୍ରମଣ କରିଥିଲା। ଏଥିରେ ସାହିଲଙ୍କ ଭଳି ଅନେକ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ୟାଲେଟ ଗନ୍ର ଗୁଳି ଲାଗି ଆହତ ସାହିଲଙ୍କ ଗୋଟିଏ ଆଖିର ଦୃଷ୍ଟି ଏବେ ବିପଦରେ ଅଛି। ସାହିଲଙ୍କ ମାଆ ଏଫଆଇଆର ଦାଖଲ କରାଇବା ପାଇଁ ଥାନାର ଚକ୍କର କାଟୁଛନ୍ତି। କିନ୍ତୁ ତାଙ୍କୁ ଏହାର ମଧ୍ୟ ଅନୁମତି ଦିଆଯାଇନାହିଁ। ଏହିପରି ସମ୍ବିଧାନ ଏବଂ ସାମ୍ବିଧାନିକ ଅଧିକାରକୁ ଦଳି ଦିଆଯାଉଛି। ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ବିରୋଧରେ ଏପରି ବର୍ବରତା କେବଳ ବେଆଇନ ନୁହେଁ ବରଂ ଏକ ଗୁରୁତର ଅପରାଧ ମଧ୍ୟ ଅଟେ।
ସେ କହିଛନ୍ତି ଯେ କେନ୍ଦ୍ରୀୟ ସହକାରିତା ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ୧୯ ଦିନ ପର୍ଯ୍ୟନ୍ତ ସଂସଦକୁ ଆସିନଥିଲେ। ଦେଶକୁ ଏହା କୁହାଯାଇନାହିଁ ଯେ ଛାତ୍ରମାନଙ୍କ ଉପରେ ପ୍ୟାଲେଟ ଗନ୍ ଚଳାଇବାକୁ ଆଦେଶ କିଏ ଦେଇଥିଲା ଏବଂ ଆମ ଯୁବକମାନଙ୍କ ସହ ଏତେ ବର୍ବରତାର ଆବଶ୍ୟକତା କାହିଁକି ପଡ଼ିଲା। ଆପଣ ନ୍ୟାୟକୁ ଏତେ ଭୟ କାହିଁକି କରୁଛନ୍ତି ଏହି ଭୟ ଦର୍ଶାଉଛି ଯେ ଆପଣ ନିଜ ଅପରାଧ ସ୍ୱୀକାର କରୁଛନ୍ତି। ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ହେଲା ଲୁହବୁହା ଗ୍ୟାସ ଛଡ଼ାଗଲା ପ୍ୟାଲେଟ ଗନ୍ ବ୍ୟବହାର କରାଗଲା। ଅନେକ ଯୁବକ ଗୁରୁତର ଭାବେ ଆହତ ହେଲେ। ଆମ ଝିଅମାନଙ୍କ ସହ ଅସଦାଚରଣ କରାଗଲା ସେମାନଙ୍କୁ ଲାଠି ଏବଂ ଡଣ୍ଡାରେ ପିଟାଗଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ଯ୍ୟନ୍ତ ଗୋଟିଏ ଶବ୍ଦ ମଧ୍ୟ କହିନାହାନ୍ତି ଏବଂ ଗୃହ ମନ୍ତ୍ରୀ ଉତରଦାୟିତ୍ୱରୁ ବଂଚି ଚାଲିଛନ୍ତି।




