ଚମ୍ପୁଆ, ୨୧ ଅଗଷ୍ଟ (ହି.ସ.) - ଚମ୍ପୁଆ ତହସିଲ ଅନ୍ତର୍ଗତ ଭଣ୍ଡା ଅଂଚଳରେ ବାଲି ମାଫିଆଙ୍କ ବେଆଇନ କାର?୍ୟ୍ୟକଳାପ ଦିନକୁ ଦିନ ଅସମ୍ଭାଳ ରୂପ ଧାରଣ କରୁଛି। ପ୍ରଶାସନର କୋହଳ ନୀତି ଏବଂ ନିଷ୍କ୍ରିୟତା ଯୋଗୁଁ ବେଆଇନ ବାଲି ଚୋରାଚାଲାଣ ଅବାଧରେ ଚାଲିଥିବା ବେଳେ ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଗଭୀର କ୍ଷୋଭ ଓ ଅସନ୍ତୋଷ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମେର୍ମେଦା ନାଳର କନ୍ଦାନାଳୀଘାଟ (ଚତ୍ରୀ ଗାଧୁଆ ଘାଟ) ଓ ଭଣ୍ଡା ଶ୍ମଶାନ ଘାଟରୁ ପ୍ରତିଦିନ ରାତି ୧୧ଟାରୁ ସକାଳ ୬ଟା ମଧ୍ୟରେ ଟ୍ରାକ୍ଟର ମାଧ୍ୟମରେ ବାଲି ଚୋରାଚାଲାଣ କରାଯାଉଛି। କନ୍ଦାନାଳୀ ଠାରୁ ଭଣ୍ଡା ବଣସାହି ରାସ୍ତା ଉପରେ ଭାରୀ ବାଲି ବୋଝେଇ ଟ୍ରାକ୍ଟର ନିୟମିତ ଚାଲିବା ଦ୍ୱାରା ରାସ୍ତା ସମ୍ପୂର୍ଣ୍ଣ ଖାଲଖମାରେ ପରିଣତ ହୋଇଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। କନ୍ଦାନାଳୀ ଚତ୍ରୀ ଘାଟରୁ ବାହାରୁଥିବା ଟ୍ରାକ୍ଟରଗୁଡ଼ିକ ବଣସାହି ଦେଇ ଭଣ୍ଡା ବାଙ୍କିସାହି ଛକ ପର୍ଯ୍ୟନ୍ତ ଯାଉଛନ୍ତି। ସେହିପରି ଭଣ୍ଡା ଶ୍ମଶାନ ଘାଟରୁ ବାହାରୁଥିବା ଟ୍ରାକ୍ଟରଗୁଡ଼ିକ ଭଣ୍ଡା ପେଟ୍ରୋଲ ପମ୍ପ ପଛପଟେ ଥିବା ଏକ ବେଆଇନ ବାଲି ଡିପୋକୁ ବାଲି ବୋହି ନେଉଛନ୍ତି ଏବଂ ସେଠାରୁ ଭଣ୍ଡା ମୁଖ୍ୟ ରାସ୍ତା ଦେଇ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଛି। ଭଣ୍ଡା ବଜାର ଭିତରେ ଦ୍ରୁତ ଗତିରେ ଚାଲୁଥିବା ଏହି ବାଲି ଟ୍ରାକ୍ଟରଗୁଡ଼ିକ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ସଦାସର୍ବଦା ବିପଦାପନ୍ନ ହୋଇ ରହୁଛି। ସକାଳୁ ସକାଳୁ ପ୍ରାତଃଭ୍ରମଣକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀ ଏବଂ ଦୈନନ୍ଦିନ କାମ ପାଇଁ ଯାଉଥିବା ଲୋକଙ୍କ ପାଇଁ ଏହି ଭାରୀଯାନ ଗୁଡ଼ିକ ଜମଦୂତ ସାଜିଛନ୍ତି। ନିୟମିତ ଭାବେ ଏପରି ଖୋଲାଖୋଲି ବାଲି ଲୁଟ୍ ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ, ଖଣି ବିଭାଗ ଏବଂ ତହସିଲ କର୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ରାତିର ଅନ୍ଧକାରରେ ନିର୍ଭୟରେ ଚାଲିଥିବା ଏହି ବେଆଇନ କାର୍ଯ୍ୟକଳାପ ଉପରେ କୌଣସି ପ୍ରକାର ଚଢ଼ଉ କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପ୍ରଶାସନର ଏହି ନୀରବତା ବାଲି ମାଫିଆ ଏବଂ କିଛି ଅଧିକାରୀଙ୍କ ମଧ୍ୟରେ ଥିବା ଅସାଧୁ ମଧୁଚନ୍ଦ୍ରିକାକୁ ଦୃଢ଼ୀଭୂତ କରୁଥିବା ନେଇ ଅଂଚଳସାରା ଚର୍ଚ୍ଚା ହେଉଛି। ଭଣ୍ଡା ଅଂଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ଘଟଣାକୁ କଡ଼ା ଭାବେ ନିନ୍ଦା କରିଛନ୍ତି। ଚମ୍ପୁଆ ତହସିଲ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ରାତ୍ରିକାଳୀନ ବେଆଇନ ବାଲି ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta




