ଭୁବନେଶ୍ୱର , 20 ଅଗଷ୍ଟ (ହି.ସ.) ଅନଲାଇନ୍ ଟ୍ୟାକ୍ସି ଚାଳକ ସଂଘ ଓ ପୋଲିସ ମୁହାଁମୁହିଁ ଘଟଣାକୁ ନେଇ ବିଜୁ ଜନତା ନିଜ ପ୍ରତିକି୍ରୟା ପ୍ରକାଶ କରିଛି । ଗଣତାନ୍ତ୍ରିକ ଆନେ୍ଦାଳନରେ ହିଂସାର କୌଣସି ସ୍ଥାନ ନାହିଁ । ହିଂସାତ୍ମକ କାର୍ଯ୍ୟକଳାପକୁ ବିଜେଡି ନିନ୍ଦା କରୁଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିଭିନ୍ନ ଦାବି ନେଇ ଓଲା, ଉବେର ଓ ରାପିଡୋ ଟ୍ୟାକ୍ସି ଚାଳକ ମାନେ ଭୁବନେଶ୍ୱରରେ ଆନେ୍ଦାଳନ କରିଥିଲେ । ଗତକାଲି ହୋଇଥିବା ଆନେ୍ଦାଳନରେ ଡ୍ରାଇଭରମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ପଥର ମାଡ଼, ଆମ ବସ୍ ଓ ପୋଲିସ ଗାଡ଼ି ଭଙ୍ଗାରୁଜା ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରୁଛି । ଆଇନକୁ ହାତକୁ ନେଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଆନେ୍ଦାଳନ କରିବା ପାଇଁ ଏକ ସଙ୍ଗେ ୪୦୦ରୁ ୫୦୦ ଅଟୋ ଭୁବନେଶ୍ୱର ସହରର ପ୍ରମୁଖ ରାସ୍ତା ଉପରେ ଗାଡି ପାର୍କିଂ କରି ତାହାକୁ ବନ୍ଦ କରିଦେଲେ । କିନ୍ତୁ ଏହାର ଆଗୁଆ ଖବର ପୋଲିସ ପ୍ରଶାସନ ପାଖରେ ନଥିବା ସମସ୍ତଙ୍କୁ ଚକିତ କରିଛି । ଆନେ୍ଦାଳନ ପୂର୍ବରୁ ଅନ୍ଲାଇନ ଅଟୋ ଚାଳକ ସଂଘ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଭୁବନେଶ୍ୱରରେ ୧ ଦିନ ଆନେ୍ଦାଳନ ପାଇଁ ଆବେଦନ କରିଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ଅନୁମତି ପ୍ରଦାନ କରିଥିଲା । ପ୍ରଥମ ଦିନରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରାଯାଇଥିଲା । ଗୋଟେ ଦିନ ଆନେ୍ଦାଳନ ପାଇଁ ଅନ୍ଲାଇନ ଅଟୋ ଚଳାକ ସଂଘ ଆବେଦନ କରିଥିବା ବେଳେ ଏହାର ପରଦିନ ଆନେ୍ଦାଳନକୁ ପୋଲିସ ପ୍ରଶାସନ କିପରି ଅନୁମତି ପ୍ରଦାନ କଲା, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଚାଳକ ମାନେ ଭଡ଼ା ସଂଶୋଧନ, ଆପ୍ କମିଶନ ହ୍ରାସ, ସାମାଜିକ ସୁରକ୍ଷା ଭଳି ନ୍ୟାୟସଙ୍ଗତ ଦାବି ନେଇ ଆନେ୍ଦାଳନ କରୁଥିଲେ । ଅଗଷ୍ଟ ୧୭ରୁ ଚାଳକ ମାନେ ୩ ଦିନ ଧରି ଆନେ୍ଦାଳନ କରୁଥିବା ବେଳେ ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ବଦଳରେ ରାଜ୍ୟ ସରକାର ନିରବ ରହିଲେ । ଯାହା ଫଳରେ ଅସନ୍ତୋଷ ବଢ଼ି ବଢ଼ି ମାଷ୍ଟର କ୍ୟାଣ୍ଟିନ, ଷ୍ଟେସନ୍ ସ୍କୋୟାର ଓ ଲୋୟର ପିଏମ୍ଜି ଅଞ୍ଚଳରେ ହିଂସାତ୍ମକ ରୂପ ନେଲା । ରେଳ ଷ୍ଟେସନ୍, ଏୟାରପୋର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବରୋଧ କରିବା ପୂର୍ବରୁ ଗୁଇନ୍ଦା ବିଭାଗ ଏହା ଜାଣି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ସମ୍ପୂର୍ଣ୍ଣ ରୂପେ ଗୁଇନ୍ଦା ବିଭାଗର ବିଫଳତାକୁ ଦର୍ଶାଉଛି । ଗୃହ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । ତେଣୁ ଏହି ବିଫଳତାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ । ୨୪ ବର୍ଷର ବିଜେଡି ଶାସନ କାଳରେ ଓଡ଼ିଶାରେ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଇଥିଲା । ଯେଉଁଠାରେ ଘଟଣା ଘଟୁଥିଲା ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଥିଲା । ବିଜେପି ସରକାର ୨ ବର୍ଷର ଶାସନ କାଳରେ ଘଟିଥିବା ଘଟଣାର ଜବାବ ନଦେଇ ଖସିଯାଇ ପାରିବେ ନାହିଁ । ମାଷ୍ଟର କ୍ୟାଣ୍ଟିନ ଛକରେ ଘଟିଥିବା ଘଟଣାରେ ଗୁଇନ୍ଦା ବିଭାଗ ଓ ପୋଲିସ ପ୍ରଶାସନ ବିଫଳତାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲ ଡ଼ ମହାନ୍ତି ଦାବି କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା