ମହାଦେଇ ପାଟଣା ଆଶ୍ରମ ବିଦ୍ୟାଳୟରେ ସ୍ଥାନାନ୍ତରିତ ଛାତ୍ରଛାତ୍ରୀଙ୍କ ବ୍ୟବସ୍ଥା ସମୀକ୍ଷା କଲେ ଅତିରିକ୍ତ ଏସ୍ଆର୍ସି
କେନ୍ଦ୍ରାପଡ଼ା, ୨୦ ଅଗଷ୍ଟ(ହି.ସ.) – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଆଶ୍ରମ ବିଦ୍ୟାଳୟରୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆଳି ବ୍ଲକ ଅନ୍ତର୍ଗତ ମହାଦେଇ ପାଟଣା ଆଶ୍ରମ ବିଦ୍ୟାଳୟରେ ରଖାଯାଇଛି। ଆଜି ଅତିରିକ୍ତ ଏସ୍ଆର୍ସି ଶ୍ରୀ ସୁଭାସ ନାଥ ଶର୍ମା ମହାଦେଇ ପାଟଣା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଅତିରିକ୍ତ ଏସ୍ଆର୍ସି ସ୍ଥାନାନ୍ତରିତ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁସ୍ଥତା, ସୁରକ୍ଷା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ରହଣି, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁଚାରୁ ଭାବେ ଯୋଗାଇ ଦିଆଯାଉଛି କି ନାହିଁ, ସେ ନେଇ ସେ ଅଧିକାରୀ ଓ ବିଦ୍ୟାଳୟ କର୍ତୃପକ୍ଷଙ୍କ ଠାରୁ ତଥ୍ୟ ନେଇଥିଲେ। ଏହି ଅବସରରେ ସେ ବିଦ୍ୟାଳୟ କର୍ତୃପକ୍ଷ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରି ସ୍ଥାନାନ୍ତରିତ ଛାତ୍ରଛାତ୍ରୀଙ୍କ ରହଣି ଓ ଯତ୍ନ ସମ୍ପର୍କିତ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଆଳି ତହସିଲଦାର ସୁମନ ଘୋଷ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି