ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୫ ଜଣ ମେଧାବୀ ଛାତ୍ରଛାତ୍ରୀ ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ ପ୍ରତିଷ୍ଠିତ ଆଇକନିକ ଓଏଭିରେ ପାଠପଢ଼ିବା ପାଇଁ ମନୋନୀତ ହୋଇ ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି।
ମନୋନୀତ ଛାତ୍ରଛାତ୍ରୀମାନେ ହେଲେ ଅନ୍ୱେଷା ବିଶ୍ୱାଳ, ହରିଶ କୁମାର ମୁଣ୍ଡା, ଅମନ ପଧାନ, ପ୍ରିୟଙ୍କା ମୁଣ୍ଡା ଓ ରିତେଶ ସିଦାର। ଏମାନଙ୍କ ମଧ୍ୟରୁ ଅନ୍ୱେଷା ବିଶ୍ୱାଳ ରାଜ୍ୟସ୍ତରରେ ୬୫ତମ ସ୍ଥାନ ହାସଲ କରିବା ସହ ଜିଲ୍ଲାରେ ଶୀର୍ଷରେ ରହିଛନ୍ତି। ସେ ଗତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମଧ୍ୟ ୯୬ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପର୍ ହୋଇଥିଲେ। ଗତବର୍ଷ ମଧ୍ୟ ଏହି ବିଦ୍ୟାଳୟରୁ ୭ ଜଣ ଛାତ୍ରଛାତ୍ରୀ ଆଇକନିକ୍ ଓଏଭି ପାଇଁ ମନୋନୀତ ହୋଇଥିଲେ।
ଆଇକନିକ୍ ଓଏଭି, ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପାଠ୍ୟକ୍ରମ ସହ ନୀଟ ଓ ଜେଇଇ ଭଳି ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ ଉଚ୍ଚମାନର କୋଚିଂ, ରହଣି ଓ ଖାଇବା ସୁବିଧା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଏ।
ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଏମଡି ଅତଉଲ୍ଲା, ଉପାଧ୍ୟକ୍ଷ ରାଜୀବ ପଟେଲ, ଶିକ୍ଷକବୃନ୍ଦ ଓ ଅଭିଭାବକମାନେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।




