କାଠମାଣ୍ଡୁ, ୨୩ ଅଗଷ୍ଟ : - ନେପାଳ ଏବଂ ଭାରତର ସୀମାନ୍ତ ଜିଲ୍ଲା ଗୁଡିକରେ ସୁରକ୍ଷା ଅଧିକାରୀମାନେ ସୀମା ସୁରକ୍ଷାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମିଳିତ ପାଟ୍ରୋଲିଂ ଏବଂ ସୀମା ଅପରାଧ ସମ୍ବନ୍ଧୀୟ ସୂଚନାର ନିୟମିତ ଆଦାନପ୍ରଦାନର ପରିସରକୁ ବିସ୍ତାର କରିବାକୁ ସହମତି ପ୍ରକାଶ କରିଛନ୍ତି ।
ମହୋତରିର ଜିଲ୍ଲା ମୁଖ୍ୟାଳୟ ଜଳେଶ୍ୱରରେ ଆୟୋଜିତ ନେପାଳ-ଭାରତ ସୁରକ୍ଷା ଅଧିକାରୀଙ୍କ ସମନ୍ୱୟ ବୈଠକରେ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ କାରବାର, ମାନବ ଚାଲାଣ ସହିତ ସୀମା ଅପରାଧର ନିୟନ୍ତ୍ରଣ ଏବଂ ବନ୍ଦ, ସୀମା ସ୍ତମ୍ଭର ସୁରକ୍ଷା ତଥା ତାହାର ରକ୍ଷଣାବେକ୍ଷଣ ବିଷୟ ଉପରେ ଆଲୋଚନା କରାଯାଇଥିଲା ।
ମହୋତରୀର ସହକାରୀ ମୁଖ୍ୟ ଜିଲ୍ଲା ଅଧିକାରୀ ସଞ୍ଜୟ କୁମାର ପୋଖରେଲ କହିଛନ୍ତି ଯେ, ଉଭୟ ଦେଶ ମିଳିତ ପାଟ୍ରୋଲିଂ ସମ୍ପ୍ରସାରଣ ତଥା ସୀମା ଅଂଚଳରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସମ୍ବନ୍ଧୀୟ ସୂଚନା ପରସ୍ପର ସହ ବାଂଟିବାକୁ ରାଜି ହୋଇଛନ୍ତି । ତାଙ୍କ ମତରେ, ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାରସ୍ପରିକ ସମନ୍ୱୟ ଏବଂ ସହଯୋଗକୁ ସୁଦୃଢ଼ କରିବା ।
ଏହି ବୈଠକରେ ମହୋତରୀର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ର ଦେବ ଯାଦବ, ସର୍ଲାହୀର ମୁଖ୍ୟ ଜିଲ୍ଲା ଅଧିକାରୀ ବିଜୟରାଜ ସୁବେଦୀ, ରୌତାହାଟ ର ମୁଖ୍ୟ ଜିଲ୍ଲା ଅଧିକାରୀ ଦୀନେଶ ସାଗର, ସୀତାମଢୀର ଜିଲ୍ଲା ମାଜିଷ୍ଟ୍ରେଟ୍ ତନୟ ସୁଲତାନିୟା ଏବଂ ସୀତାମଢୀର ପୋଲିସ ଅଧୀକ୍ଷକ ଅମିତ ରଞ୍ଜନଙ୍କ ସମେତ ଉଭୟ ଦେଶର ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।



