କାଠମାଣ୍ଡୁ, ୨୩ ଅଗଷ୍ଟ : - ନେପାଳରେ ନୂତନ ସରକାର ଗଠନ ହେବାର ପାଂଚ ମାସ ପୂରଣ ହେବାକୁ ଯାଉଛି, କିନ୍ତୁ ବିଦେଶରେ ଖାଲି ଥିବା ନେପାଳୀ କୂଟନୈତିକ ମିଶନରେ ଏପର୍ଯ୍ୟନ୍ତ ରାଷ୍ଟ୍ରଦୂତ ନିଯୁକ୍ତ କରାଯାଇ ନାହିଁ । ସରକାର ୧୩ଟି ଦେଶକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭିତିରେ ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ଆବେଦନ ମାଗିଥିଲେ, କିନ୍ତୁ ପ୍ରକ୍ରିୟା ଏପର୍ଯ୍ୟନ୍ତ କୌଣସି ନିଷ୍ପତିରେ ପହଂଚି ନାହିଁ । ଏହା ବ୍ୟତୀତ ଅନ୍ୟ ସାତଟି ଦେଶରେ ନିଯୁକ୍ତିକୁ ନେଇ ଅନିଶ୍ଚିତତା ରହିଛି ।
ନେପାଳର ୩୧ଟି ଦୂତାବାସ ମଧ୍ୟରୁ ୨୧ଟିରେ ବର୍ତମାନ କୌଣସି ରାଷ୍ଟ୍ରଦୂତ ନାହାନ୍ତି । ଦୀର୍ଘ ସମୟ ଧରି ପଦବୀ ଖାଲି ପଡିଥିବାରୁ ଅନେକ ମିଶନ କାର୍ଯ୍ୟକାରୀ ମୁଖ୍ୟଙ୍କ ଭରସାରେ ଚାଲୁଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ରାଷ୍ଟ୍ରଦୂତଙ୍କ ଅନୁପସ୍ଥିତି ନେପାଳର ବୈଦେଶିକ ନୀତି ଏବଂ ବିଭିନ୍ନ ଦେଶରେ ଏହାର କୂଟନୈତିକ ପ୍ରତିନିଧିତ୍ୱକୁ ଦୁର୍ବଳ କରୁଛି ।
ମିଳିତ ଜାତିସଂଘରେ ସ୍ଥାୟୀ ମିଶନ ସମେତ ନେପାଳର ବିଦେଶରେ ୩୧ଟି ଦୂତାବାସ ରହିଛି । ଏହା ବ୍ୟତୀତ, ଆଠଟି ବାଣିଜ୍ୟ ଦୂତାବାସ ରହିଛିି । ଗତ ଆର୍ôଥକ ବର୍ଷ ସୁଦ୍ଧା, ସେଠାରେ ୩୪ଟି ଦୂତାବାସ ଏବଂ ୧୦ଟି ବାଣିଜ୍ୟ ଦୂତାବାସ ଥିଲା, କିନ୍ତୁ ତିନୋଟି ଦୂତାବାସ ଏବଂ ଦୁଇଟି ବାଣିଜ୍ୟ ଦୂତାବାସ ବନ୍ଦ ହେବା ପ୍ରକ୍ରିୟାରେ ରହିଛି ।
ଦକ୍ଷିଣ ଆଫ୍ରିକା, ଡେନମାର୍କ ଏବଂ ବ୍ରାଜିଲରେ ଥିବା ନେପାଳୀ ଦୂତାବାସ ଏବଂ ଚୀନର ଛେଙ୍ଗଡୁ ଏବଂ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ବାଣିଜ୍ୟ ଦୂତାବାସକୁ ବାଦ୍ ଦେବା ପରେ, ଅବଶିଷ୍ଟ ମିଶନରେ ୨୧ଟି ଦୂତାବାସ ରହିଛି ଯେଉଁଠାରେ ରାଷ୍ଟ୍ରଦୂତ ପଦବୀ ଖାଲି ପଡିଛି । ଏଥିମଧ୍ୟରୁ ୧୧ଟି ଦୂତାବାସ ଗତ ବର୍ଷ ନଭେମ୍ବର ଶେଷ ଭାଗରୁ ଏବଂ ଚଳିତ ବର୍ଷ ଏପ୍ରିଲ ମାସରୁ ଛଅଟି ଦୂତାବାସ ବିନା ରାଷ୍ଟ୍ରଦୂତରେ ରହିଛନ୍ତି । ଏଥି ସହିତ, ଛଅ ଜଣ କ୍ୟାରିୟର ରାଷ୍ଟ୍ରଦୂତ (ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ) ଯେଉଁମାନେ ନିଜ କାର୍ଯ୍ୟକାଳ ଶେଷ କରି ନେପାଳ ଫେରିଛନ୍ତି, ସେମାନେ ମଧ୍ୟ ସରକାରଙ୍କ ପରବର୍ତୀ ନିଷ୍ପତିକୁ ଅପେକ୍ଷା କରିଛନ୍ତି ।
ଭାରତ ଏବଂ ଚୀନ୍ ସହିତ ଆମେରିକା, ବ୍ରିଟେନ, ବାହାରିନ, ବାଂଲାଦେଶ, ବେଲଜିୟମ, କାନାଡା, ମିଶର, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଜାପାନ, ଦକ୍ଷିଣ କୋରିଆ, କୁଏତ, ମାଲେସିଆ, ମିଆଁମାର, ଓମାନ, ପାକିସ୍ତାନ, ପର୍ତୁଗାଲ, କତାର, ରୁଷ୍, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ୟୁ. ଏ. ଇ. ଏବଂ ସ୍ପେନରେ ଅବସ୍ଥିତ ନେପାଳୀ ଦୂତାବାସରେ ରାଷ୍ଟ୍ରଦୂତ ପଦବୀ ଖାଲି ପଡିଛି ।



