ମାଲକାନଗିରି, ୮ ଅଗଷ୍ଟ - ମାଲକାନଗିରି ୧୪୬-ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟତଃ ଏସଆଇଆର ୨୬ କାର୍ଯ୍ୟର ଅଗ୍ରଗତି, ସଂଶୋଧନ ସମ୍ପର୍କିତ ନୋଟିସ୍ ପ୍ରଦାନ ଏବଂ ଏହାର ଶୁଣାଣି ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ନେଇ ବୈଠକରେ ସୂଚନା ଦିଆଯାଇଛି।
ଏହି ଅବସରରେ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଦାବି ଓ ଆପତ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯଥା- ଫର୍ମ ୯ (ନାମ ଅନ୍ତର୍ଭୁକ୍ତ), ଫର୍ମ ୧୦ (ନାମ ଅନ୍ତର୍ଭୁକ୍ତ ପାଇଁ ଆପତ୍ତି), ଫର୍ମ ୧୧ (ନାମ ବାଦ୍), ଫର୍ମ ୧୧ଏ (ତ୍ରୁଟି ସଂଶୋଧନ) ଏବଂ ଫର୍ମ ୧୧ବି (ସ୍ଥାନାନ୍ତର) ର ସମ୍ପୂର୍ଣ୍ଣ ତାଲିକା ହସ୍ତାନ୍ତର କରାଯାଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜର ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ଜରିଆରେ ଏହି ତାଲିକାର ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।





