ଭୁବନେଶ୍ୱର, 01 ଅଗଷ୍ଟ - ଟ୍ରାଫିକ ନିୟମ ଉଲଂଘନକାରୀ ସାବଧାନ । ନିୟମ ଭାଙ୍ଗିଲେ ଆଉ ନିସ୍ତାର ନାହିଁ । ଅମାନିଆ ତଥା ବେପରୁଆ ଡ୍ରାଇଭରଙ୍କୁ ଜଗିବ ଏଆଇ । ଆଜିଠୁ କଟିବ ଏଆଇ ଇ – ଚାଲାଣ । ପ୍ରଥମ ପର୍ଯ୍ୟାୟରେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତାରେ ଲାଗୁ ହେବ ବ୍ୟବସ୍ଥା । ଏନେଇ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦ୍ୱାରା ଆଉ ଚାରୋଟି ହାଇୱେ କରିଡରକୁ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ ରେ ଯୋଡ଼ା ଯାଇଛି । ଏହି ହାଇୱେ ଗୁଡ଼ିକରେ ୧ ଅଗଷ୍ଟ ଅର୍ଥାତ ଆଜି ଠାରୁ ଇ-ଚାଲାନ୍ ଏନଫୋର୍ସମେଣ୍ଟ ଲାଗୁ ହେବ । ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା, ସଡ଼କ ସୁରକ୍ଷା ଉଲ୍ଲଂଘନକୁ ରୋକିବା ଏବଂ ଟେକ୍ନୋଲଜି ଆଧାରିତ ଏନଫୋର୍ସମେଣ୍ଟ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନୂତନ ଭାବରେ ଯୋଡ଼ା ଯାଇଥିବା ହାଇୱେ କରିଡରଗୁଡ଼ିକ ହେଉଛି, ମଙ୍ଗୁଳି - ସମ୍ବଲପୁର, ସମ୍ବଲପୁର - ରାଉରକେଲା, ବ୍ରହ୍ମପୁର – ତପ୍ତପାଣି ଏବଂ ବ୍ରହ୍ମପୁର - ଭଞ୍ଜନଗର ।
ଏହି ସିଷ୍ଟମ ସ୍ୱୟଂଚାଳିତ ଭାବରେ ଟ୍ରାଫିକ୍ ଉଲ୍ଲଂଘନଗୁଡ଼ିକୁ ଚିହ୍ନଟ କରିବ । ଯେମିତିକି ନିର୍ଦ୍ଧାରିତ ଗତି ସୀମା ଠାରୁ ଅଧିକ ଗତିରେ ଗାଡ଼ି ଚଲାଇବା, ମଟରସାଇକେଲରେ ଦୁଇ ଜଣରୁ ଅଧିକ ଯାତ୍ରା କରିବା, ବାଇକରେ ଦୁଇଜଣ ଯାତ୍ରା କଲେ ଉଭୟ ହେଲମେଟ ପିନ୍ଧିନଥିଲେ, ରଙ୍ଗ ରୁଟ୍ ରେ ଗାଡ଼ି ଚଳାଇଲେ ଚାଲାଣ କଟିବ ।
ଆଇଇଏମଏସ ମାଧ୍ୟମରେ ସୃଷ୍ଟି ହୋଇଥିବା ପ୍ରତ୍ୟେକ ଇ-ଚାଲାନକୁ ଫଟୋଗ୍ରାଫିକ୍ ପ୍ରମାଣ ସହିତ ଗାଡ଼ି ପଞ୍ଜିକରଣ ନମ୍ବର, ଉଲ୍ଲଂଘନର ତାରିଖ ଏବଂ ସମୟ, ସ୍ଥାନ, ନିର୍ଦ୍ଧାରିତ ଗତି ସୀମା ଏବଂ ଅପରାଧର ପ୍ରକୃତିର ବିବରଣୀ ସହିତ ସମର୍ଥନ କରାଯିବ, ଯାହା କାର୍ଯ୍ୟକାରୀତାରେ ସ୍ୱଚ୍ଛତା ଏବଂ ସଠିକତା ସୁନିଶ୍ଚିତ କରିବ ।





