ଝାରସୁଗୁଡ଼ା, ୧ ଅଗଷ୍ଟ - ୬୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଯୋଡ଼ି ହେବ ସମ୍ପର୍କର ଡୋର। ହୀରାକୁଦ ଜଳଭଣ୍ଡାର ସୃଷ୍ଟି ପରେ ମହାନଦୀର ଦୁଇ କୂଳରେ ବିଛିନ୍ନ ହୋଇ ରହିଥିବା ହଜାର ହଜାର ପରିବାରଙ୍କ ପାଇଁ ପୁଜାରୀପାଲି–ଜରିମୂଳି ସମ୍ପର୍କ ସେତୁ ଏବେ ନୂଆ ଆଶାର ପ୍ରତୀକ ପାଲଟିଛି। ନିର୍ମାଣାଧୀନ ଏହି ସେତୁ କେବଳ ଦୁଇଟି ଜିଲ୍ଲାକୁ ନୁହେଁ, ବରଂ ବର୍ଷ ବର୍ଷ ଧରି ବିଛିନ୍ନ ହୋଇଥିବା ଆତ୍ମୀୟତାକୁ ପୁଣି ଥରେ ଏକାଠି କରିବାର ପଥ ପ୍ରସ୍ତୁତ କରୁଛି।
ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ପୁଜାରୀପାଲିରୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ଜରିମୂଳି ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଦୀର୍ଘ ଏହି ସେତୁର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ସେତୁ ରାଜ୍ୟର ଦୀର୍ଘତମ ସେତୁମାନଙ୍କ ମଧ୍ୟରେ ସ୍ଥାନ ପାଇବ। ଏବେ ପୁଜାରୀପାଲିରୁ ଜରିମୂଳିର ସିଧା ଦୂରତା ମାତ୍ର ୧୨ କିଲୋମିଟର ହୋଇଥିଲେ ମଧ୍ୟ ସେତୁ ନଥିବାରୁ ଲୋକଙ୍କୁ ସମ୍ବଲପୁର ଓ କନକତୋରା ଦେଇ ପ୍ରାୟ ୯୦ କିଲୋମିଟର ବୁଲି ଯିବାକୁ ପଡ଼ୁଛି। ସେତୁ ନିର୍ମାଣ ସରିଲେ ଯାତ୍ରା ସମୟ ଓ ଦୂରତା ଉଭୟରେ ବଡ଼ ଧରଣର ହ୍ରାସ ଘଟିବ।
ସବୁଠାରୁ ବଡ଼ କଥା ହେଉଛି, ହୀରାକୁଦ ଡ୍ୟାମ୍ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ପ୍ରାୟ ୨୬ ହଜାର ପରିବାର ଆଜି ବି ମହାନଦୀର ଦୁଇ ପାର୍ଶ୍ୱରେ ବସବାସ କରୁଛନ୍ତି। ସମ୍ପର୍କ ଥିଲେ ମଧ୍ୟ ଦୂରତା ସେମାନଙ୍କ ମିଳନରେ ବଡ଼ ବାଧା ହୋଇ ରହିଛି। ସେତୁଟି ସମ୍ପୂର୍ଣ୍ଣ ହେଲେ ପରିବାର, ସମ୍ପର୍କୀୟ ଓ ଗାଁ-ଗୋଷ୍ଠୀ ମଧ୍ୟରେ ହଜିଯାଇଥିବା ଆତ୍ମୀୟତା ପୁଣି ଫେରିବ ବୋଲି ସ୍ଥାନୀୟ ଲୋକଙ୍କ ଆଶା। ରାଜସ୍ୱ ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ କହିଛନ୍ତି, ବିସ୍ଥାପନ ପରେ ପିଢ଼ି ପିଢ଼ି ଧରି ଅଲଗା ହୋଇ ରହିଥିବା ଲୋକଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଏହି ପ୍ରକଳ୍ପ କେବଳ ଏକ ସେତୁ ନୁହେଁ, ବରଂ ଲୋକଙ୍କ ଭାବାବେଗ ସହ ଜଡ଼ିତ ଏକ ସ୍ୱପ୍ନ ବୋଲି ସେ କହିଛନ୍ତି। ସେତୁ ନିର୍ମାଣ ଶେଷ ହେଲେ ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ସହ ପଡ଼ୋଶୀ ଛତିଶଗଡ଼କୁ ମଧ୍ୟ ଯୋଗାଯୋଗ ଅଧିକ ସହଜ ହେବ। ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟବସାୟ ଓ ସାଂସ୍କୃତିକ ଆଦାନ-ପ୍ରଦାନ କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି।
ଓଡ଼ିଶା ସେତୁ ନିର୍ମାଣ ସଂସ୍ଥାର ଅଧୀକ୍ଷଣ ଯନ୍ତ୍ରୀ ପ୍ରତୀକ ପୁରୋହିତଙ୍କ ସୂଚନା ଅନୁସାରେ, ପୁଜାରୀପାଲି ଓ ଜରିମୂଳି ପାର୍ଶ୍ୱରେ କାମ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଆଗେଇ ଚାଲିଛି। ୬୮ଟି ପାଇଲ୍ ଗ୍ରୁପ୍ ମଧ୍ୟରୁ ୫୮ଟି, ୬୮ଟି ପାଇଲ୍ କ୍ୟାପ୍ ମଧ୍ୟରୁ ୨୪ଟି, ୬୮ଟି ଫାଉଣ୍ଡେସନ୍ କଲମ ମଧ୍ୟରୁ ୧୫ଟି ଏବଂ ୨୭ଟି ଗାର୍ଡର ମଧ୍ୟରୁ ୧୮ଟିର କାମ ଶେଷ ହୋଇଛି। ସବୁକିଛି ଯୋଜନା ଅନୁଯାୟୀ ଚାଲିଥିବାରୁ ୨୦୨୮ ମାର୍ଚ୍ଚ ସୁଦ୍ଧା ସେତୁ ନିର୍ମାଣ ସମ୍ପୂର୍ଣ୍ଣ କରି ସାଧାରଣ ଲୋକଙ୍କ ପାଇଁ ଖୋଲିଦିଆଯିବ ବୋଲି ସେ କହିଛନ୍ତି।
ag/





