ଜୟପୁର, ୨୮ ଜୁନ୍ -ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ମହାନ ଶିକ୍ଷାନୁରାଗୀ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ୧୫୮ତମ ଜୟନ୍ତୀ ଆଜି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନସ୍ଥିତ ଅଧ୍ୟାପନା କକ୍ଷ–୨ରେ ଗରିମାର ସହ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଅନୁଷ୍ଠିତ ହୋଇଥିଲା । ବି.ଏଡ୍. ବିଭାଗର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଓଡ଼ିଶା ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସିପିଜିସିର ନିର୍ଦ୍ଦେଶକ ଡଃ. ପ୍ରଶାନ୍ତ କୁମାର ପାତ୍ର ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଶିକ୍ଷା ଦର୍ଶନ ଏବଂ ବିଶ୍ୱବିଦ୍ୟାଳୟ ସ୍ଥାପନାରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀକାନ୍ତ ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଜର୍ଷିଙ୍କ ଜୀବନ, ସାହିତ୍ୟ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବିସ୍ମରଣୀୟ ଅବଦାନ ଉପରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ତାଙ୍କ ଅଭିଭାଷଣରେ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଶିକ୍ଷା ପ୍ରତି ଦୂରଦୃଷ୍ଟି ଓ ସମାଜ ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।
ସଭାରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ତାଙ୍କ ଅଭିଭାଷଣରେ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଆଦର୍ଶକୁ ଅନୁସରଣ କରି ଶିକ୍ଷା, ଗବେଷଣା, ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା l କାର୍ଯ୍ୟକ୍ରମରେ ଜୟପୁର ସହରର ବୃଦ୍ଧିଜିଵୀମାନେ ଉପସ୍ଥିତ ଥିଲେ l





