ଅନୁଗୋଳ, 12 ଅଗଷ୍ଟ : ଅନୁଗୋଳ ଜିଲ୍ଲାରେ ପ୍ରଦୂଷଣର ନିରାକରଣ, କୋଇଲା ଓ ଫ୍ଲାଏ ଆସ୍ ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ଏବଂ କୋଶଳା ପଞ୍ଚାୟତର ୫ ଜଣ ବାସିନ୍ଦାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବୁଧବାର ଅନୁଗୋଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି।
କଂଗ୍ରେସ ନେତାମାନଙ୍କ ଅନୁସାରେ, କୋଇଲା ଓ ଫ୍ଲାଏ ଆସ୍ର ନିରନ୍ତର ପରିବହନ ଯୋଗୁଁ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି। ପ୍ରଦୂଷଣ ବିରୋଧରେ ସ୍ୱର ଉଠାଇଥିବା କୋଶଳର ୫ ଜଣ ବ୍ୟକ୍ତିଙ୍କୁ ପ୍ରାୟ ୪ ମାସ ଧରି ଜେଲ୍ରେ ରଖାଯାଇଥିବା ଦଳ ଅଭିଯୋଗ କରିଛି। ସେମାନଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି।
ବିଭିନ୍ନ ସଂଗଠନ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି। ଫଳରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଘରୋଇ ପ୍ରତିଷ୍ଠାନ, ଦୋକାନ ଓ ବଜାର ବନ୍ଦ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ଓ ଚୌମୁହାଣୀରେ ପିକେଟିଂ କରିବା ସହ ଲୋକମାନଙ୍କୁ ବନ୍ଦକୁ ସମର୍ଥନ କରିବା ପାଇଁ ଅପିଲ୍ କରିଛନ୍ତି। ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।
ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବା ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ ବାହିନୀ ମୁତୟନ କରାଯାଇଛି। ଅନୁଗୋଳ ବ୍ୟତୀତ ଆଠମଲ୍ଲିକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି, ଯେଉଁଠାରେ ସ୍ଥାନୀୟ କଂଗ୍ରେସ ଏହି ଆନ୍ଦୋଳନକୁ ସମର୍ଥନ କରିଛି।
ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାାପତି ଶ୍ରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି ଜିଲ୍ଲାରେ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଛି।





