କେନ୍ଦୁଝର, ୨୩ ଅଗଷ୍ଟ - କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁରେ ଚାଂଚଲ୍ୟକର ଘଟଣା ଘଟିଛି । ଅର୍ଚ୍ଚନା ଟ୍ରେଡର୍ସ ଶୋରୁମ୍ ଭିତରୁ ମାଲିକାଣୀ ଅର୍ଚ୍ଚନା ପରିଡ଼ାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ା ଥାନାରେ ଖବର ଦେଇଥିଲେ ଯେ, ଦୋକାନ ଭିତରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି ।
୨୦୧୪ ମସିହାରେ ହାଣ୍ଡିଭଙ୍ଗା ଅଂଚଳର ଅଭିମନ୍ୟୁ ପରିଡ଼ାଙ୍କୁ ବିବାହ କରିଥିଲେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଂଚଳର ଅର୍ଚ୍ଚନା ବାରିକଙ୍କୁ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି । ଘୁଟୁରୁରେ ଅର୍ଚ୍ଚନା ଟ୍ରେଡର୍ସ ଓ ଶୁଭ ମଟର୍ସ ନାମରେ ସେମାନଙ୍କର ବ୍ୟବସାୟ ରହିଛି ।
ତେବେ ଅର୍ଚ୍ଚନାଙ୍କ ପରିବାର ପକ୍ଷରୁ ଆସିଛି ଗୁରୁତର ଅଭିଯୋଗ । ପରିବାରଲୋକଙ୍କ କହିବା ଅନୁସାରେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ କରୁଥିଲେ । ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି ।
ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଂଚଳରେ ଏକ ଭଡ଼ା ଘରେ ରହୁଥିବା ପରିବାର ପକ୍ଷରୁ କୁହାଯାଇଛି । ତେବେ ଅର୍ଚ୍ଚନାଙ୍କୁ ସେଠାରେ ହତ୍ୟା କରି ତାଙ୍କ ମୃତଦେହ ଅର୍ଚ୍ଚନା ଟ୍ରେଡର୍ସ ଭିତରେ ଆଣି ରଖାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି ।
ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ନେଇ ମଧ୍ୟ ସୂଚନା ରହିଛି । ତେବେ ଏହି ନୋଟ୍ରେ ସ୍ୱାମୀଙ୍କୁ ଦାୟୀ ନ କରିବାକୁ ଲେଖାଯାଇଥିବା ନେଇ ପରିବାର ପକ୍ଷରୁ ଆପତି ଉଠାଯାଇଛି । ନୋଟ୍ଟି ଅର୍ଚ୍ଚନା ନିଜେ ଲେଖିନାହାନ୍ତି, ବରଂ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ଏହା ଲେଖିଥିବା ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି ।
ଅର୍ଚ୍ଚନାଙ୍କ ମୁଣ୍ଡରେ ଆଘାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି । ଏହାକୁ ନେଇ ହତ୍ୟା ସନ୍ଦେହ ଆହୁରି ଘନୀଭୂତ ହୋଇଛି ଓ ହାତ୍ୟାକାରୀ ସ୍ୱାମୀ କୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ାଙ୍କୁ ପୋଲିସ ଘଟଣା ସ୍ଥଳରୁ ନେବା ସମୟରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ଏପରିକି କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ , ପୋଲିସ୍ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।




