ଝାରସୁଗୁଡ଼ା, ୧୮ ଜୁନ୍ - ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଜିଲ୍ଲା ଖଣିଜ ପ୍ରେଖାଳୟ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା, ଓଡ଼ିଶା ସାରା" ଅଭିମୁଖ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶାର ମାନ୍ୟବର ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସରକାରଙ୍କ ଦୁଇ ବର୍ଷର ସଫଳତା, ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ଏବଂ ଅଗ୍ରଣୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ।
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ଆଗାମୀ ଦିନରେ ଝାରସୁଗୁଡ଼ା ଓଡ଼ିଶାର ପରବର୍ତ୍ତୀ ପ୍ରଗତିର ପ୍ରମୁଖ କେନ୍ଦ୍ରବିନ୍ଦୁ ଭାବେ ଉଭା ହେବାକୁ ଯାଉଛି। ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ମଙ୍ଗଳ ବଜାର ସାଟେଲାଇଟ୍ ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଅଛି। ଏଥିସହ ଶିକ୍ଷାର ବିକାଶ ପାଇଁ ଜିଲ୍ଲାରେ ଏକ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ଯୋଗାଯୋଗ ଓ ପର୍ଯ୍ୟଟନର ଉନ୍ନତି ପାଇଁ ଝାରସୁଗୁଡ଼ା ବିମାନବନ୍ଦରର ସମ୍ପ୍ରସାରଣ ଏବଂ ପ୍ରସିଦ୍ଧ ଶ୍ରୀ ଝାଡ଼େଶ୍ୱର ମନ୍ଦିରର ସାମଗ୍ରୀକ ବିକାଶ ଓ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ସ୍ଥାନୀୟ ଯୁବକଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ଜିଲ୍ଲାର ପ୍ରମୁଖ ସମସ୍ୟା ପାଉଁଶ ପରିଚାଳନା ଉପରେ ମନ୍ତ୍ରୀ କହିଥିଲେ ଯେ, ଏଥିପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର 'ପାଉଁଶ ନୀତି ପ୍ରସ୍ତୁତ ହେଉଛି, ଯାହା ଖୁବ୍ ଶୀଘ୍ର ଲାଗୁ କରାଯିବ। ବେଆଇନ ପାଉଁଶ ପରିଚାଳନା ଓ ପ୍ରଦୂଷଣ କରୁଥିବା ସଂସ୍ଥା ବିରୋଧରେ କଡ଼ା ଜରିମାନା ଆଦାୟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ ଏବଂ ରୋପଣ କରାଯାଇଥିବା ଗଛଗୁଡ଼ିକର ବଞ୍ଚିବା ହାର ଉପରେ ବିଶେଷ ନଜର ରଖାଯାଇଛି। ସହର ମଧ୍ୟରେ ବେଆଇନ ଆବର୍ଜନା ପକାଇବା ରୋକିବା ପାଇଁ ଟାଉନ୍ ମ୍ୟାପିଂ କରାଯାଇ ମାନଚିତ୍ର ପ୍ରସ୍ତୁତ କରାଯାଉଛି ଏବଂ ସହରର ଡ୍ରେନେଜ୍ ବ୍ୟବସ୍ଥାରେ ବ୍ୟାପକ ସୁଧାର ଅଣାଯାଉଛି। କେନ୍ଦ୍ର ଓ ରାଜ୍ୟର ଏହି ଡବଲ୍ ଇଞ୍ଜିନ୍ ସରକାର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ତଥା ସଫଳ ଯୋଜନା ଯଥା— ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ସାମାଜିକ ଭତ୍ତା ଯୋଜନା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା (ବର୍ଦ୍ଧିତ ଭତ୍ତା), ଜାତୀୟ ପରିବାର ସହାୟତା ଯୋଜନା, ବିବାହ ପ୍ରୋତ୍ସାହନ ରାଶି, ଇ-ରିକ୍ସା ପ୍ରଦାନ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ବିକଶିତ ଗାଁ-ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସ, ଅନ୍ତଦ୍ଵୟ ଗୃହ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା ଏବଂ ପି ଏମ ଶ୍ରୀ ସ୍କୁଲ ଆଦି ସମ୍ପର୍କରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ପ୍ରକୃତ ହିତାଧିକାରୀ ଯେପରି ଏହି ସବୁ ଯୋଜନାର ଅଧିକରୁ ଅଧିକ ଫାଇଦା ପାଇପାରିବେ, ସେଥିପାଇଁ ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ନିଜର କଲମ ଚାଳନା କରିବାକୁ ସେ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ।
ଏହି ସମ୍ମିଳନୀରେ ଝାରସୁଗୁଡ଼ାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, ଝାରସୁଗୁଡ଼ାରେ ଏବେ 'ସମର୍ପିତ ବିକାଶ'ର ଧାରା ଚାଲୁ ରହିଛି। ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ୨୦ଟି ନୂତନ ହଷ୍ଟେଲ ନିର୍ମାଣ କରାଯାଉଛି। ଚାଷୀମାନଙ୍କ କଲ୍ୟାଣ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତାକୁ ୪-ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଯୁବକଯୁବତୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯାଉଛି। ପ୍ରାଥମିକ ଶିକ୍ଷା ସ୍ତରରେ ଏକ ବୈପ୍ଳବିକ ପଦକ୍ଷେପ ସ୍ୱରୂପ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କୁ 'ସମ୍ବଲପୁରୀ ଭାଷା'ରେ ଶିକ୍ଷାଦାନ ଦିଆଯିବାର ବ୍ୟବସ୍ଥା କରାଯାଉଛି। ଜିଲ୍ଲାର ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ୨ଟି ଭବ୍ୟ ଆଦିବାସୀ ସଂସ୍କୃତି ଭବନ ନିର୍ମାଣର ପ୍ରସ୍ତୁତି ଚାଲିଛି। କ୍ରୀଡ଼ା କ୍ଷେତ୍ରର ଅଭିବୃଦ୍ଧି ସହ ଗରିବ ଲୋକଙ୍କ ପାଇଁ 'ଗ୍ରେନ୍ ଏଟିଏମ୍' କାର୍ଯ୍ୟକ୍ଷମ କରାଯାଇଛି। ପ୍ରଦୂଷଣ ବିରୋଧରେ ସରକାର 'ଜିରୋ ଟଲରାନସ୍' ନୀତି ଆପଣାଇଛନ୍ତି। ଜିଲ୍ଲାର ପ୍ରତିଟି ଗ୍ରାମକୁ ସମ୍ପୂର୍ଣ୍ଣ ଆଲୋକିତ କରିବା ପାଇଁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଉଛି। ଏହା ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଏମଆରସି ହାର୍ଟ ହସ୍ପିଟାଲ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ବରଦାନ ସଦୃଶ ହୋଇଛି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ସେହିପରି ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ଗଠନମୂଳକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଡ. ମହାଲିଙ୍ଗ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଧାରାକୁ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ବିକଶିତ ଓଡ଼ିଶା-୨୦୩୬ ଗଠନ ଦିଗରେ ସକ୍ରିୟ ସହଯୋଗ କରିବାକୁ ସେ ଆହ୍ଵାନ ଦେଇଥିଲେ। ଏଥି ସହିତ ଜିଲ୍ଲାରେ ବିଭିନ୍ନ ଅଗ୍ରଣୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ମାନ୍ୟବର ଅଧ୍ୟକ୍ଷ ସାମଲ ନାୟକ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ କୁଣାଲ ମୋତିରାମ ଚହ୍ବାଣ, ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ପ୍ରାୟ ୨୦୦ ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏଥିମଧ୍ୟରେ ବିଭିନ୍ନ ବିଭାଗର ବରିଷ୍ଠ ସରକାରୀ ଅଧିକାରୀ, ଅଞ୍ଚଳର ଜନପ୍ରତିନିଧି ସାମିଲ ହୋଇ ସରକାରଙ୍କ ବିକାଶମୁଖୀ ଯୋଜନା ଉପରେ ଆଲୋଚନା କରିଥିଲେ। ଏହା ସହିତ ସରକାରଙ୍କ ଏହି ଦୁଇ ବର୍ଷର ସଫଳତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଏବଂ ଡିଜିଟାଲ ମିଡିଆର ପ୍ରାୟ ୫୦ ଜଣରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୂଚନା ସଂଗ୍ରହ କରିଥିଲେ।




