ଭୁବନେଶ୍ୱର, 02 ଅଗଷ୍ଟ : ରାଜ୍ୟରେ ବନ୍ୟାଜଳ କମିବା ସହିତ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ତେବେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟାର କ୍ଷୟକ୍ଷତି ଏବେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ୨୨ଟି ଜିଲ୍ଲାରେ ୮ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ବନ୍ୟାର ପ୍ରଭାବ ପଡ଼ିଛି। ସେ କହିଛନ୍ତି ଯେ, ସରକାର ବର୍ତ୍ତମାନ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପରେ କ୍ଷୟକ୍ଷତିର ଆକଳନ ଏବଂ ପୁନର୍ବାସ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି।
ରାଜ୍ୟ ସରକାର କୃଷି ଓ ରାଜସ୍ୱ ବିଭାଗର ଟିମ୍ଗୁଡ଼ିକୁ ପ୍ରଭାବିତ ଅଞ୍ଚଳରେ ସର୍ଭେ ପାଇଁ ନିୟୋଜିତ କରିଛନ୍ତି। ଅନେକ ଜିଲ୍ଲାରୁ ଘରବାଡ଼ି ତିଗ୍ରସ୍ତ ହୋଇଥିବାର ରିପୋର୍ଟ ମିଳିଥିବା ବେଳେ ପନିପରିବା ଫସଲର କ୍ଷୟକ୍ଷତିର ମଧ୍ୟ ବିସ୍ତୃତ ଆକଳନ କରାଯାଉଛି।
ଏହା ସହିତ ବନ୍ୟା ପ୍ରଭାବିତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତିର ମଧ୍ୟ ମୂଲ୍ୟାଙ୍କନ କରାଯାଉଛି। ରିପୋର୍ଟ ଆଧାରରେ ସେଗୁଡ଼ିକର ମରାମତି ଓ ପୁନଃନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ବନ୍ୟା ପରେ ସମ୍ଭାବ୍ୟ ରୋଗ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଏବଂ ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ସାନିଟାଇଜେସନ୍ ଓ ଜୀବାଣୁମୁକ୍ତିକରଣ (ଡିସଇନଫେକ୍ସନ୍) ଅଭିଯାନ ଆରମ୍ଭ କରାଯାଇଛି।
ଜଳ ସମ୍ପଦ ବିଭାଗକୁ କ୍ଷତିଗ୍ରସ୍ତ ନଦୀବନ୍ଧଗୁଡ଼ିକର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଭବିଷ୍ୟତରେ ବନ୍ୟା ବିପଦକୁ କମାଇ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଅତିରିକ୍ତ ସହାୟତା ମାଗିବା ପୂର୍ବରୁ ହିଁ କେନ୍ଦ୍ର ସରକାର ରାଜ୍ୟକୁ ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ପୁନର୍ବାସ, ମରାମତି ଏବଂ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଜାରି ରହିବ।





