ଝାରସୁଗୁଡ଼ା, ୧୮ ଜୁନ୍ - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରାୟ ୧୦ କୋଟି ବ୍ୟୟରେ ନବନିର୍ମିତ କୋଠା ଓ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଜନସ୍ୱାସ୍ଥ୍ୟ କାର୍ଯ୍ୟଳୟ ଗୁରୁବାର ଲୋକାର୍ପିତ ହୋଇଯାଇଛି l ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା ସହ ଏହାର ଉଦଘାଟନ କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ୧୧୦ ବର୍ଷ ପୂର୍ବେ ଏହି ଡାକ୍ତରଖାନା କୁ ସ୍ଥାପନ କରିଥିବା କୋଲାବିରା ର ପୂର୍ବତନ ଜମିଦାର ସ୍ବର୍ଗତ ଚିନ୍ତାମଣି ସିଂହ ନାଏକଙ୍କ ନାମରେ ଏହି ଗୋଷ୍ଠୀ କେନ୍ଦ୍ରର ନାମକରଣ କରିବା ପାଇଁ ଘୋଷଣା କରିଥିଲେ l ଏଥିପାଇଁ ଆସନ୍ତା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକରେ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରସ୍ତାବ ଆଗତ କରିବା ସହ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିସ କରି ପଠାଇଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନାମକରଣ ପାଇଁ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ l ଏହାସହ ସ୍ୱାସ୍ଥ୍ୟର ଉନ୍ନତ ଚିକିତ୍ସା ସେବା ପାଇଁ ରାଜ୍ୟର ଡବଲ ଇଞ୍ଜିନ ସରକାର ଆସନ୍ତା ୨ ବର୍ଷରେ ରାଜ୍ୟର ସମସ୍ତ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଶ୍ରୀ ମହାଲିଙ୍ଗ ଘୋଷଣା କରିଥିଲେ l ଏଥିରେ ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପୂର୍ବତନ ଜମିଦାର ଚିନ୍ତାମଣି ଙ୍କ ନାମରେ ନାମିତ କରିବା ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଇଥିଲେ l ଏହାସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳିବାକୁ ଥିବା ଚିକିତ୍ସାସେବା, ବିଭିନ୍ନ ପରୀକ୍ଷା ଓ ଏଟିଏମ ପରୀକ୍ଷା ବିଷୟରେ ସୂଚନା ଦେବାସହ ଏହାର ଲାଭ ଉଠାଇବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ l
ଏହି ଉତ୍ସବରେ ଜିଲ୍ଲାପାଳ କୃଣାଲ ମୋତିରାମ ଚହ୍ୱାନ ଓ ସିଡିଏମଓ ଡ଼ା ଶକ୍ତି ପ୍ରକାଶ ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟସେବା ଉପରେ ମତାମତ ରଖିଥିଲେ l ଏଥିରେ ଏସଡିସି ଅଧ୍ୟକ୍ଷ ସାମଲ ନାଏକ,ବିଡ଼ିଓ ଅବିନାଶ ଲାକ୍ରା, ଡିପିଏଚଓ ସୁନିଲ ପଣ୍ଡା, ଡିପିଏମ ଦୀପକ ମହାନ୍ତି, ବିଧାୟକ ପ୍ରତିନିଧି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ, ସମାଜସେବୀ ଅରୁଣ କୁମାର ବେହେରା, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ, ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ, ଡ଼ା ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l କୋଲାବିରା ସିଏଚସି ଅଧିକ୍ଷକ ଡ଼ା ଘନଶ୍ୟାମ ସୋରେଙ୍ଗ ସ୍ବାଗତ ଭାଷଣ ଓ ଡ଼ା. ସିଶୋଦ ବୁଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ l ବିପିଏଚଓ ସନାତନ ବାଗ ସଭା ପରିଚାଳନା କରିଥିଲେ l ଏଥିରେ ସ୍ବାସ୍ଥ୍ୟ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ l




