-
- ୪ ଗୋଟି ବିଭାଗର ସଚିବ ଏବଂ ଜଣେ ବିଶେଷଜ୍ଞଙ୍କୁ ନେଇ କମିଟି ଗଠିତ
-
- ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ କମିଟିର ଅଧ୍ୟକ୍ଷ
-
- ଓ.ଏଚ୍.ଆର.ସି.ର ୩୮ ଗୋଟି କେସର ୮ ଗୋଟି ବିସ୍ଥାପିତ ଗ୍ରାମରେ ତଦନ୍ତ ହେବ
-
- ତଦନ୍ତ କମିଟିର ତଦନ୍ତ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ଗ୍ରାମବାସୀ ତତ୍ପର
(FM Bharat):-- ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କୋର୍ ଏରିଆର ରାଇଗୋଡ଼ା ଗ୍ରାମ ସମେତ ବଫର୍ ଏରିଆର ୫ ଗୋଟି ଗ୍ରାମକୁ ବନ ବିଭାଗ ସମ୍ପୂର୍ଣ୍ଣ ଉଚ୍ଛେଦ କରିଅଛି । ଗ୍ରାମ ବିସ୍ଥାପନ ଯୋଜନାରେ ବନ ବିଭାଗ ସରକାରୀ ଆଇନ, ନୀତି ନିୟମ, ଗାଇଡ ଲାଇନ ଏବଂ ପ୍ରୋଟକଲକୁ ଉପେକ୍ଷା କରି ଏକ ପ୍ରକାର ମନମାନି ଓ ଚାପ ସୃଷ୍ଟି କରି ଜୋରଜବରଦସ୍ତ ଉଚ୍ଛେଦ କରିଥିବାର ଅଭିଯୋଗ ହୋଇଅଛି ।
ପ୍ରତି ଗ୍ରାମରେ ବିଭାଜନ ନୀତି ଆପଣେଇ ସପକ୍ଷ ଏବଂ ବିପକ୍ଷବାଦୀ ସୃଷ୍ଟି କରାଇ ବିସ୍ଥାପନକୁ ଆଗେଇ ନେବାରେ ବନ ବିଭାଗ ସଫଳ ହୋଇଥିଲା । ଗ୍ରାମବାସୀ ବହୁବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ତାହାର କୌଣସି ବିଚାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଗ୍ରାମବାସୀଙ୍କର ହଜାର ହଜାର ଲିଖିତ ଅଭିଯୋଗର ତଦନ୍ତ ପାଇଁ ମାନ୍ୟବର ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ବିଭିନ୍ନ ଆୟୋଗଙ୍କର ନିର୍ଦ୍ଦେଶକୁ ବନ ବିଭାଗ ନାଲିଫିତା ତଳେ ଚାପି ଦେବାରେ ସମର୍ଥ ହୋଇଥିଲା ।
ଗତ ୨୦୨୨ ମସିହା ଠାରୁ ଜଣେ ବନ ଅଧିକାରୀ କର ବା ମର ନୀତିରେ ସରକାରୀ ଆଇନ ଓ ନୀତି ନିୟମକୁ ଭୂକ୍ଷେପ ନକରି ଗାଁ ଗୁଡିକୁ ଉଠାଇବାରେ ସଫଳ ହୋଇଥିଲେ । ଗତ ୨୦୨୨ ଠାରୁ ୨୦୨୪ ମସିହା ୩ ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ପରିବାରକୁ ବିସ୍ଥାପିତ କରି ଗ୍ରାମବାସୀଙ୍କର ରେକର୍ଡ ଜମିଜମାକୁ ଆକ୍ତିଆର କରିବାରେ ସଫଳ ହୋଇଥିଲେ । ଏପରିକି ସ୍ୱେଚ୍ଛାକୃତ ବିସ୍ଥାପନ ଯୋଜନାକୁ ଯେଉଁମାନେ ବିସ୍ଥାପନକୁ ମନା କରିଥିଲେ ସେମାନଙ୍କ ନାମରେ ମିଥ୍ୟା କେସ ରୁଜୁ କରାଯାଇଥିଲା ଏବଂ ଗ୍ରାମ ବିସ୍ଥାପନରେ କ୍ଷତିପୂରଣ ପ୍ୟାକେଜରୁ ବଞ୍ଚିତ କରାଯାଇଥିଲା ।
ଗ୍ରାମ ବିସ୍ଥାପନ ଯୋଜନାରେ କୋର୍ ଏରିଆର ବାହାର ଗ୍ରାମକୁ ବିସ୍ଥାପନ କରାଯାଇଥିବା ବେଳେ ବିସ୍ଥାପିତ ଗ୍ରାମବାସୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କୌଣସି ଆକଳନ ଓ ମୂଲ୍ୟାଙ୍କନ କରାଯାଇ ନଥିଲା । ଏପରିକି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍.ଟି.ସିଏ.) ର ପ୍ରୋଟକଲକୁ ଅନୁପାଳନ କରାଯାଇ ନଥିଲା । ଏନ୍.ଟି.ସିଏ. ପ୍ରୋଟକଲରେ ରହିଥିବା ସର୍ଭେ ଫର୍ମରେ ବ୍ୟବହାର କରାଯାଇ ନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗ୍ରାମ ବିସ୍ଥାପନ ପୂର୍ବରୁ ଜଙ୍ଗଲ ଅଧିକାର ଆଇନ - ୨୦୦୬ ର ରହିଥିବା ବ୍ୟବସ୍ଥାରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର କିମ୍ବା ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ସ୍ୱୀକୃତି ନେଇ କୌଣସି ପଦକ୍ଷେପ ନିଆଯାଇ ନଥିଲା ।
ଗ୍ରାମସଭାରେ ଗ୍ରାମବାସୀଙ୍କର ବିସ୍ଥାପନ ସମ୍ବନ୍ଧୀୟ ମତାମତ ନିଆ ନ ଯାଇ ଏକ ପ୍ରକାର ଜାଲିଆତି କାଗଜପତ୍ର ଓ ଅନିୟମିତତା କରାଯାଇଥିଲା । ପ୍ରତି ଗାଁରେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ଦୁଇଗୋଷ୍ଠୀ ସୃଷ୍ଟି କରାଯାଇ ଗଣ୍ଡଗୋଳର ମଞ୍ଜି ପୋତା ଯାଇଥିଲା । ବିସ୍ଥାପିତ ଗ୍ରାମବାସୀଙ୍କର ଅଭିଯୋଗର ଶୁଣାଣି ପାଇଁ କୌଣସି ସ୍ତରରେ ଅଭିଯୋଗ ଉପଶମର ବ୍ୟବସ୍ଥା କରାଯାଇ ନଥିଲା । ବନଖଣ୍ଡର ଅଧିକାରୀ ଯାହା କରୁଥିଲେ ଏବଂ ଯାହା କହୁଥିଲେ ବେଦର ଗାର ସଦୃଶ କାର୍ଯ୍ୟକାରୀ କରାଯାଉଥିଲା । ଯାହାଫଳରେ ଗରିବ ଆଦିବାସୀ, ହରିଜନ ଓ ବନବାସୀ ବିସ୍ଥାପନ ଯୋଜନାରେ ଶୋଷଣର ଶିକାର ହୋଇଥିଲେ ।
ଗ୍ରାମବାସୀ ସାମୂହିକ ଏବଂ ବ୍ୟକ୍ତିଗତ ସ୍ତରରେ ନିଜର ମାନବିକ ଅଧିକାର ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ନିକଟରେ କେସ ରୁଜୁ କରିଥିଲେ । ବିସ୍ଥାପିତ ଗ୍ରାମବାସୀଙ୍କ ପକ୍ଷରୁ ମାନବ ଅଧିକାର ଆୟୋଗଙ୍କ ନିକଟରେ ୫୮ ଟି କେସ ରୁଜୁ କରାଯାଇଥିବା ବେଳେ ମାନ୍ୟବର ଆୟୋଗଙ୍କର ଅଧ୍ୟକ୍ଷ ନ୍ୟାୟଧୀଶ ଶତ୍ରୁଘ୍ନ ପୂଜାରୀ ଗତ ଫେବୃଆରୀ ୯ ତାରିଖରେ ୩୮ ଟି କେସର ଚୂଡ଼ାନ୍ତ ବିଚାର କରିଥିଲେ ।
ମାନ୍ୟବର ଆୟୋଗ ନ୍ୟାୟଧୀଶ ଶତ୍ରୁଘ୍ନ ପୂଜାରୀ ଅଭିଯୋଗକାରୀ ପକ୍ଷ ବିସ୍ଥାପିତ ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ବେହେରା ଏବଂ ବିପକ୍ଷ ପକ୍ଷ ପିସିସିଏଫ (ବନ୍ୟଜୀବ) ଓଡ଼ିଶା ଆର୍.ସି.ସି.ଏଫ୍. ଅନୁଗୋଳ, ଜିଲ୍ଲାପାଳ ଅନୁଗୋଳ ଡିଏଫ୍ଓ ସାତକୋଶିଆ ଅଧିକାରୀଙ୍କର ଜବାବ ଦାଖଲ ପୂର୍ବକ ଶୁଣାଣି କରିଥିଲେ । ଗତ ଫେବୃଆରୀ ୯ ତାରିଖରେ ଚୁଡାନ୍ତ ବିଚାର ପୂର୍ବକ ବିସ୍ଥାପନ ଯୋଜନାରେ ସ୍ୱଚ୍ଛତା ନଥିବା ଏବଂ ସରକାରୀ ଆଇନ ଓ ନୀତି ନିୟମ ଏବଂ ପ୍ରୋଟକଲର ଅନୁପାଳନ କରାଯାଇ ନଥିବା ସହିତ ବ୍ୟାପକ ଅନିୟମିତତା ହୋଇଥିବାର ଅର୍ଡର କରିଥିଲେ । ଏପରିକି ବହୁ ବିସ୍ଥାପିତ ହିତାଧିକାରୀ କ୍ଷତିପୂରଣ ପ୍ୟାକେଜ ପାଇନଥିବା ସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଓ ମୂଲ୍ୟାଙ୍କନ ହୋଇ ନଥିବାର ଅର୍ଡରରେ ବର୍ଣ୍ଣନା କରିଥିଲେ ।
ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବିସ୍ଥାପିତ ଗ୍ରାମ ସ୍ତରରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ କମିଟିରେ ରାଜସ୍ୱ, ଜଙ୍ଗଲ, ଆଦିବାସୀ ବ୍ୟାପାର ଆଇନ ବିଭାଗର ସଚିବ ରହିବା ସହିତ ଜଣେ ବନ୍ୟଜୀବ ଆଇନ, ଜଙ୍ଗଲ ଅଧିକାର ଆଇନ ଓ ବିସ୍ଥାପନ ସମ୍ବନ୍ଧୀୟ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ବିଶେଷଜ୍ଞ ଭାବରେ କମିଟିରେ ସଦସ୍ୟ ହେବା ପାଇଁ ଅର୍ଡରରେ ଦର୍ଶାଇଥିଲେ । ମାନ୍ୟବର ଆୟୋଗଙ୍କ ଅର୍ଡର ଅନୁଯାୟୀ ରାଜ୍ୟ ସରକାର ଚଳିତ ମାସ ଗତ ୧୭ ତାରିଖରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଅଛନ୍ତି ।
ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବାବେଳେ ବିଶେଷଜ୍ଞ ଭାବରେ ଡ଼ା. ଅନୁପ ନାୟକ ସ୍ଥାନ ପାଇଛନ୍ତି ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଜଙ୍ଗଲ ଓ ଆଦିବାସୀ ବ୍ୟାପାର ସଚିବ ସଭ୍ୟ ଭାବରେ କମିଟିରେ ରହିଛନ୍ତି । ରାଜ୍ୟ ସରକାରଙ୍କର ବିଜ୍ଞପ୍ତି ନଂ ୧୯୮୦୦ ଅନୁଯାୟୀ ବିସ୍ଥାପନ ଯୋଜନା କାର୍ଯ୍ୟକ୍ରମର ୬ ଗୋଟି ବିଷୟ ତଦନ୍ତ ପରିସରଭୁକ୍ତ ଥିବାବେଳେ ବିସ୍ଥାପନ ପ୍ରକ୍ରିୟାରେ ଯେଉଁ ଅଧିକାରୀ ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ଅନିୟମିତତା କରିଥିବାର ଚିହ୍ନଟ କରାଯାଏ ତାଙ୍କ ଉପରେ ଫୌଜଜାରୀ ମାମଲା କିମ୍ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଜ୍ଞପ୍ତିରେ ପ୍ରକାଶ ପାଇଅଛି । ରାଜ୍ୟ ସରକାର ମାନବ ଅଧିକାର ଆୟୋଗଙ୍କର ଅର୍ଡରକୁ କାର୍ଯ୍ୟକାରୀ କରି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାରୁ ବିସ୍ଥାପିତ ଗ୍ରାମବାସୀ କଟରଙ୍ଗ, ଭୂର୍କୁଣ୍ଡୀ, ଅଶନବାହାଳ, ଗୋପାଳପୁର, ଟିକରପଡା, ମଝିପଡା ଓ ପୁରୁଣାକୋଟର ଅଭିଯୋଗକାରୀ ସମୂହ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏପରିକି ଉଚ୍ଚସ୍ତରୀୟ ତଦନ୍ତ କମିଟିକୁ ଅଭିଯୋଗକାରୀ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିବାକୁ ନିଜର ମତ ପ୍ରକାଶ କରିଛନ୍ତି ।
ସାତକୋଶିଆ ଅଭୟାରଣ୍ୟ ଓ ପ୍ରଜା ସୁରକ୍ଷା ସମିତି ସଭାପତି ନବକିଶୋର ବିଶୋଇ ବିସ୍ଥାପିତ ଗ୍ରାମବାସୀଙ୍କର କ୍ଷୂର୍ଣ୍ଣ ହୋଇଥିବା ମାନବ ଅଧିକାର ଫେରି ପାଇପାରିବେ ବୋଲି ପ୍ରକାଶ କରିଅଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଦୋଳ ସାସମଲ, ଅକ୍ଷୟ ପୃଷ୍ଟି, ବରୁଣ ବିଶୋଇ, ଫକୀର ଜାନୀ, ତ୍ରିନାଥ ସାହୁ, ରବୀନ୍ଦ୍ର ବାରିକ, ଅନ୍ତର ସାମଲ, ଶିବରାମ ସାହୁ, ଭରତ କୁମାର ଜାନୀ, ଲୋଚନ ଦେହୁରୀ, ଶରତ ପଧାନ, ନୟନା ପଧାନ, ସିତୟା ପଧାନ, ଲିଙ୍କି ସାହୁ, ବଜୀ ନାୟକ, ରୋଜାଲିନ ସାହୁ ପ୍ରମୁଖ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଗରେ ନିଜର ପକ୍ଷ ରଖି ସହଯୋଗ କରିବାକୁ ପ୍ରକାଶ କରିଛନ୍ତି ଏବଂ ନ୍ୟାୟ ପାଇବେ ବୋଲି ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

