ଭୁବନେଶ୍ୱର : ‘ବନ୍ଦେ ମାତରମ୍’କୁ ନେଇ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର କଥିତ ତୁଷ୍ଟୀକରଣ ରାଜନୀତି ପୁଣିଥରେ ସାମ୍ନାକୁ ଆସିଛି ଏବଂ ଏଥର ଦେଶର ରାଷ୍ଟ୍ରଗୌରବ ‘ବନ୍ଦେ ମାତରମ୍’କୁ ଟାର୍ଗେଟ କରାଯାଇଛି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ‘ବନ୍ଦେ ମାତରମ୍’ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟ ସ୍ୱାଭିମାନର ଭାବନାକୁ ଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। କଂଗ୍ରେସ କାର୍ଯ୍ୟସମିତିର ‘ବନ୍ଦେ ମାତରମ୍’ର ସମ୍ପୂର୍ଣ୍ଣ ଗାନରୁ ପଛକୁ ହଟିବା ନେଇ ନିଷ୍ପତ୍ତିକୁ ସେ ଦଳର ପୁରୁଣା ତୁଷ୍ଟୀକରଣ ରାଜନୀତିର ପୁନରାବୃତ୍ତି ବୋଲି ଅଭିହିତ କରିଛନ୍ତି।
ନିଜ ପୋଷ୍ଟରେ ୧୯୩୭ ମସିହାର ଘଟଣାକ୍ରମର ଉଲ୍ଲେଖ କରି ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ସେତେବେଳେ ମଧ୍ୟ କଂଗ୍ରେସ ଭୋଟ୍ବ୍ୟାଙ୍କର ଚାପରେ ‘ବନ୍ଦେ ମାତରମ୍’ର ବ୍ୟବହାରକୁ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲା। ତାଙ୍କ ଦାବି ଅନୁଯାୟୀ, ସେହି ସମୟର ତୁଷ୍ଟୀକରଣ ରାଜନୀତି ଦେଶର ଏକତାକୁ ଦୁର୍ବଳ କରୁଥିବା ଶକ୍ତିଗୁଡ଼ିକୁ ଶକ୍ତି ଯୋଗାଇଥିଲା ଏବଂ ଶେଷରେ ଦେଶକୁ ବିଭାଜନର ଭୟାବହ ବିଭୀଷିକାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାର ସମ୍ପୂର୍ଣ୍ଣ ଗାନକୁ ଆଇନଗତ ସୁରକ୍ଷା ଦେଇଥିବା ଉଲ୍ଲେଖ କରି ପ୍ରଧାନ କହିଛନ୍ତି ଯେ, ଏହା ପରେ କଂଗ୍ରେସର ଆଭିମୁଖ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଇତିହାସର କଥିତ ଭୁଲରୁ ଶିକ୍ଷା ନେବା ପରିବର୍ତ୍ତେ ତାହାକୁ ପୁନରାବୃତ୍ତି କରିବାର ଚେଷ୍ଟା କଂଗ୍ରେସର ବିଚାରଧାରାତ୍ମକ ଦୁର୍ବଳତାକୁ ପ୍ରତିଫଳିତ କରୁଛି।
ପ୍ରଧାନ କହିଛନ୍ତି ଯେ, ଦେଶର ଏକତା ଓ ଜାତୀୟ ସମ୍ମାନ ଯେକୌଣସି ଭୋଟ୍ବ୍ୟାଙ୍କ ରାଜନୀତିଠାରୁ ଊର୍ଦ୍ଧ୍ୱରେ। ‘ବନ୍ଦେ ମାତରମ୍’ର ସମ୍ମାନ ସହ ଦେଶ କୌଣସି ପ୍ରକାରର ସାଲିସ କରିବ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ପାଇଁ ଦେଶର ରାଷ୍ଟ୍ରଗୌରବ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ଭୋଟ୍ବ୍ୟାଙ୍କ ରାଜନୀତି ତାହା ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।



