କୋଲକାତା, ୧୭ ଅଗଷ୍ଟ (ହି.ସ.)- ବୀରଭୂମ ଜିଲ୍ଲାର ତାରାପିଠରେ ଥିବା ହୋଟେଲ ବିଦେଶିନୀ' ରେ ସୋମବାର ସକାଳେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ସାତ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ହୋଟେଲ ମାଲିକ କଲ୍ୟାଣ ପାଲଙ୍କୁ ଗିରଫ କରିଛି । ହୋଟେଲର ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷା ମାନଦଣ୍ଡ ଏବଂ ନିୟମାବଳୀର ଅନୁପାଳନକୁ ପୋଲିସ ଯାଂଚ୍ କରୁଛି ।
ସୋମବାର ଭୋର୍ ପ୍ରାୟ ୪ଟା ୩୦ ମିନିଟରେ ତାରାପୀଠ ଥାନା ନିକଟରେ ଥିବା ଏହି ହୋଟେଲରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗର ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ହୋଟେଲର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ବେଳେ ପଂଚମ ମହଲା ପର୍ଯ୍ୟନ୍ତ ଧୂଆଁ ବ୍ୟାପିଥିଲା ।
ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ହୋଟେଲରୁ ୨୨ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ନଅ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତ ଆହତଙ୍କୁ ରାମପୁରହାଟ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଛି । ଅନେକ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ବେଳେ ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଏବେବି ଚିକିତ୍ସିତ ହେଉଛନ୍ତି ।
ଦୁର୍ଘଟଣା ପରେ ହୋଟେଲରେ ରହୁଥିବା ଲୋକମାନେ ଅଭିଯୋଗ କରିଥିଲେ ଯେ, ପଛପାଖେ ଥିବା ଗୋଟିଏ ଦ୍ୱାର ବନ୍ଦ ଥିଲା, ଯେଉଁଥିପାଇଁ ସେମାନଙ୍କୁ ବାହାରକୁ ବାହାରିବା କଷ୍ଟକର ହୋଇଥିଲା । ପୋଲିସ ମଧ୍ୟ ଏହି ଅଭିଯୋଗର ତଦନ୍ତ କରୁଛି । ଏଥି ସହିତ, ହୋଟେଲରେ ଅଗ୍ନି ନିର୍ବାପକ ଉପକରଣ ଏବଂ ଜରୁରୀକାଳୀନ ସ୍ଥାନାନ୍ତର ବ୍ୟବସ୍ଥା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଥିଲା କି ନାହିଁ ତାହା ଯାଂଚ୍ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ




