ନୂଆଦିଲ୍ଲୀ, ୦୩ ଅଗଷ୍ଟ – ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଏବଂ ନ୍ୟାୟିକ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଲୋକସଭାରେ ସୋମବାର ବିନା କୌଣସି ଆଲୋଚନାରେ ଏକ ବିଲ୍ ପାରିତ ହୋଇଛି। ଏହି ବିଲ୍ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ବିଚାରପତିଙ୍କ ସଂଖ୍ୟାକୁ ୩୪ରୁ ୩୮କୁ ବୃଦ୍ଧି କରିବାକୁ ଚାହୁଁଛି।
ଲୋକସଭାରେ ଆଜି ସୁପ୍ରିମକୋର୍ଟ(ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬ ପାରିତ ହୋଇଛି। ଏହି ବିଲ୍ ସୁପ୍ରିମକୋର୍ଟ(ବିଚାରପତିଙ୍କ ସଂଖ୍ୟା) ଅଧିନିୟମ, ୧୯୫୬ରେ ଆହୁରି ସଂଶୋଧନ କରିଛି। ଏହି ବିଲ୍କୁ ଆଲୋଚନା ପାଇଁ ଉପସ୍ଥାପନ କରାଯିବା ସମୟରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଗଣ୍ଡଗୋଳ ଜାରି ରଖିଥିଲେ। ପ୍ରିଜାଇଡିଂ ଅଫିସର କୃଷ୍ଣ ପ୍ରସାଦ ଟେନ୍ନେଟିଙ୍କ ଅନୁରୋଧ ପରେ ମଧ୍ୟ ଗଣ୍ଡଗୋଳ ଜାରି ରହିଥିଲା। ଗଣ୍ଡଗୋଳ ମଧ୍ୟରେ ଏହି ବିଲ୍ ପାରିତ ହୋଇଥିଲା।
ଆଇନ ଏବଂ ନ୍ୟାୟ
ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ କହିଛନ୍ତି ଯେ ନ୍ୟାୟିକ କ୍ଷେତ୍ରରେ ସଂସ୍କାର ଶୃଙ୍ଖଳାରେ ଏହି ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଥିଲେ ଯେ ସାମ୍ବିଧାନିକ ଖଣ୍ଡପୀଠ ଗଠନ କାରଣରୁ ନିୟମିତ ମାମଲାଗୁଡ଼ିକର ଶୁଣାଣୀ ପାଇଁ ଉପଲବ୍ଧ ବିଚାରପତିଙ୍କ ସଂଖ୍ୟା
ହ୍ରାସ ପାଇଛି। ତେଣୁ ଅତିରିକ୍ତ ବିଚାରପତିଙ୍କ ଆବଶ୍ୟକତା ଅନୁଭୂତ ହୋଇଥିଲା। ଏହି ପ୍ରସଙ୍ଗରେ
ଅଣାଯାଇଥିବା ଅଧ୍ୟାଦେଶକୁ ଆଇନଗତ ରୂପ ଦେବା ପାଇଁ ଏହି ବିଲ୍କୁ ଗୃହ ସମ୍ମୁଖରେ ରଖାଯାଇଛି।





