ହାଇଦ୍ରାବାଦ, ୨୪ ଅଗଷ୍ଟ (ହି.ସ.)- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ତାଙ୍କର ତିନି ଦିନିଆ ବ୍ରିଟେନ ଗସ୍ତ ଶେଷ କରି ସୋମବାର ହାଇଦ୍ରାବାଦ ଫେରିଥିଲେ । ଏହି ଗସ୍ତ ସମୟରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ପ୍ରତିଷ୍ଠିତ ଏକାଡେମିକ୍ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟି ତେଲେଙ୍ଗାନାରେ ଶିକ୍ଷା, ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଏବଂ ଇମ୍ପେରିଆଲ୍ କଲେଜ ଲଣ୍ଡନ ସମେତ ଅନେକ ଅଗ୍ରଣୀ ଅନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ତେଲେଙ୍ଗାନା ସହିତ ସହଯୋଗର ସୁଯୋଗ ଅନ୍ୱେଷଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ଆଲୋଚନାରେ ଏକାଡେମିକ୍ ବିନିମୟ, ଗବେଷଣା, ନବସୃଜନ ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁଯୋଗ ପ୍ରଦାନ ଭଳି ବିଷୟଗୁଡିକ ଉପରେ ବିଚାରବିମର୍ଶ ହୋଇଥିଲା ।
ରେଭନ୍ଥ ରେଡ୍ଡୀ ଅଗଷ୍ଟ ୨୦ ତାରିଖରେ ବ୍ରିଟେନ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ଗସ୍ତର ପରବର୍ତୀ ପର୍ଯ୍ୟାୟରେ ଆମେରିକା ଗସ୍ତ କରିବାର ଯୋଜନା ମଧ୍ୟ ଥିଲା, କିନ୍ତୁ କେନ୍ଦ୍ର ସରକାର ତାଙ୍କୁ ଆମେରିକା ଗସ୍ତ କରିବାକୁ ଅନୁମତି ନଦେବା ପରେ ସେ ତାଙ୍କ ବିଦେଶ ଗସ୍ତକୁ ହ୍ରାସ କରି ସ୍ୱଦେଶ ଫେରିବାକୁ ନିଷ୍ପତି ନେଇଥିଲେ ।
ମୁଖ୍ୟମନ୍ତ୍ରୀ ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସଂକେତ ଦେଇଥିଲେ ଯେ, ହାଇଦ୍ରାବାଦ ଫେରିବା ପରେ ସେ ପ୍ରାଥମିକତା ଭିତିରେ ରାଜ୍ୟ ସହ ଜଡ଼ିତ ବିଚାରାଧୀନ ମାମଲା ଉପରେ ଧ୍ୟାନ ଦେବେ । ତେଣୁ, ସେ ଦେଶକୁ ଫେରିବା ପରେ, ସରକାର ବର୍ତମାନ ରାଜ୍ୟରେ ବିଚାରାଧୀନ ପ୍ରଶାସନିକ ଏବଂ ରାଜନୈତିକ ପ୍ରସଙ୍ଗରେ ସକ୍ରିୟ ହେବାର ସମ୍ଭାବନା ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ



