କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ହୋଇଥିବା ଏକ ମଦଦୋକାନକୁ ବିରୋଧ କରି ଦୋକାନ ଆଗରେ ଧାରଣାରେ ବସିଲେ ମହିଳା। ଜମଧର ଗ୍ରାମପଂଚାୟତ ସରପଂଚ ରାଜକିଶୋର ଖୁଂଟିଆଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ଦୋକାନ ଆଗରେ ଧାରଣାରେ ବସିବା ସହ ନାରାବାଜି କରିଥିଲେ। ନୂଆକରି ଲାଇସେନ୍ସ ପାଇଥିବା ଏହି ଦୋକାନ ଧାର୍ଯ୍ୟ ସ୍ଥାନରେ ନହୋଇ ଗଜଲଷ୍ମୀ ପୂଜା ଘର ନିକଟରେ କରାଯାଇଛି। ଅନ୍ୟପକ୍ଷରେ ଦୁହୁରିଆ ଫାଣ୍ଡିର ଠିକ୍ ପଛ ପଟରେ ରହିଛି ଏହି ମଦଦୋକାନ। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଓ ୫୩ ନମ୍ୱର ଜାତୀୟ ରାଜପଥକୁ ଲାଗିକରି ରହିଛି ଏହି ମଦଦୋକାନ। ଏହା ସମସ୍ତ ଆଇନକୁ ଉଲ୍ଲଂଘନ କରି ଖୋଲା ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଏହା ପାଣ୍ଡିରି ଗାଁର ପ୍ରବେଶ ପଥରେ ଏହି ଦୋକାନ ହେବା ଦ୍ୱାରା ଗାଁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ମଦ୍ୟପମାନେ ମଦ ଜିଣିନେଇ ପାଣ୍ଡିରି ଗାଁର ପ୍ରବେଶ ଦ୍ୱାରରେ ଥିବା କଲଭର୍ଟ ଉପରେ ବସି ଦିନ ଦିପହରରେ ବସି ମଦ୍ୟପାନ କରୁଛନ୍ତି। ତେବେ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ତେବେ ଏ ନେଇ ସରପଂଚ ରାଜକିଶୋର ଖୁଂଟିଆ ଏବ୍ଂ ପଂଚାୟତ ବାସୀ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରିଛନ୍ତି। ଏମିତିକି ଅବକାରୀ ବିଭାଗ ପାଖରେ ମଧ୍ୟ ଅଭିଯୋଗ କରାଯାଇଛି। କିନ୍ତୁ କେହି କର୍ଣ୍ଣପାତ କରି ନାହାଁନ୍ତି।






