କୋରାପୁଟ ଜିଲ୍ଲା ରେ ଭଙ୍ଗା ପୋଲ କୁ ଭୁଲିଗଲା ପ୍ରଶାସନ । ବର୍ଷା ଦିନ ଆସିଲେ ବଢିଛି ଲୋକଙ୍କ ଦୁର୍ଦଶା । ଭଙ୍ଗା ପୋଲର ଏପାଖରେ ଜୀବନ, ସେପାଖରେ ଜୀବିକା । ବାଧ୍ୟ ହୋଇ ଏଠି ପ୍ରତିଦିନ ଲୋକେ ଜୀବନକୁ ବାଜି ଲଗାଇ ଯାତାୟତ କରନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚିପାକୁର ପଂଚାୟତର କ୍ରିଶାଲ ଗାଁ ରେ ଏଭଳି ସମସ୍ୟା ଉପପୁଜିଛି ।
ଗତ ବର୍ଷ ବର୍ଷାରେ କ୍ରିଶାଲ ଗାଁ ରାସ୍ତାରେ ୨ ଟି ପୋଲ ଭାଂଗିଥିବା ବେଳେ ଏ ପର୍ଯ୍ୟନ୍ତ ମରାମତି ହୋଇନାହିଁ । ପଂଚାୟତରୁ ବିଛିନ୍ନ ହୋଇପଡ଼ିଛି ୬ଟି ଗାଁ । ଲୋକଙ୍କ ଯାତାୟତରେ ସୁବିଧା ପାଇଁ ନିର୍ମାଣ ହୋଇଥିଲା ନାଳ ଉପରେ ପୋଲ, କିନ୍ତୁ ସେ ପୋଲ ଏବେ ଗାଁ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି । ଗତବର୍ଷର ଲଗାଣ ବର୍ଷାରେ ଭାସି ଯାଇଥିବା ୨ ଗୋଟି ପୋଲ । ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଫଳରେ ବର୍ଷା ଦିନେ ୬ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଭଙ୍ଗା ପୋଲ କୁ ଭୁଲିଗଲା ପ୍ରଶାସନ ।
ବର୍ଷେ ବିତିଲା ତଥାପି କୌଣସି ପଦକ୍ଷେପ ନେଲେ ନାହିଁ । ବେତଭଟା ଠାରୁ କ୍ରିଶାଲ ଗାଁ କୁ ସଂଯୋଗ କରୁଥିବା ଏକ କିଲୋମିଟର ରାସ୍ତା ମଝିରେ ୨ ଟି ପୋଲ ଭାଙ୍ଗି ଯାଇଛି । ନିମ୍ନମାନର କାମ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ କିର୍ଷାଲ, ବଡବେତ, ଝୁଲଣୀ ଏବଂ ଚିପାକୁର, କାଠପଡା ପଂଚାୟତର ଅନେକ ଗ୍ରାମ ଲୋକେ ଯାତାୟତ କରନ୍ତି । ଲୋକେ ଚିପାକୁର ପଂଚାୟତ କାର୍ଯ୍ୟାଳୟକୁ କୌଣସି କାମରେ ଯିବାକୁ ହେଲେ ମାଠପଡା ପଂଚାୟତ ଦେଇ ୨୩ କିଲୋମିଟର ବୁଲି ଯିବାକୁ ପଡୁଛି ।
ରାସନ୍ ଚାଉଳ, ଭତା, ଜରୁରୀ ରୋଗୀ ସେବା ଏବଂ ଆମ୍ବୁଲାନ୍ସ ସେବାରୁ ସଂପୂର୍ଣ୍ଣ ବଂଚିତ ହେଉଛନ୍ତି ଏସବୁ ଗ୍ରାମ ଗୁଡ଼ିକ। ଯଥାଶୀଘ୍ର ଏହି ୨ ଟି ପୋଲ ନିର୍ମାଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ସରପଂଚ ରାଜୁ ଖିଲ ଏବଂ ଗାଁ ଲୋକେ । ସେପଟେ ସ୍ଥାନୀୟ ବିଡ଼ିଓ ସୁବ୍ରତ ସାହୁ କହିଛନ୍ତି, ଏହି ସମସ୍ୟା କୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭଗ ସହ ଆଲୋଚନା କରାଯାଇଛି ଏବଂ ଆବଶ୍ୟକ ପଡିଲେ ଜରୁରୀ କାଳୀନ ଯାତାୟତ ପାଇଁ ପଂଚାୟତ ତରଫରୁ ବ୍ୟବସ୍ଥା କରାଯିବ ।
ଗ୍ରାମାଂଚଳ ଲୋକଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ସରକାରୀ କର୍ମଚାରୀଙ୍କ ଅବହେଳା ହେଉ କିମ୍ବା ଜନ ପ୍ରତିନିଧିଙ୍କ ଦୁର୍ବଳତା ହେଉ କିନ୍ତୁ ଲୋକଙ୍କ ଟଙ୍କା ନଷ୍ଟ ହେଉଛି । ସାଧାରଣ ଲୋକେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ପାଇପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଛି ।






