ଝାରସୁଗୁଡ଼ା - ଜ଼ିଲ୍ଲାପାଳ କୁଣlଲ ମୋତିରାମ ଚହ୍ଵାଣ କୋଲାବିରା ବ୍ଲକ୍ର କେଲଡାମାଲ ଗ୍ରାମ ପରିଦର୍ଶନ କରି ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଝୋଟରେ ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଅବଲୋକନ କରିଥିଲେ। ବିଶେଷ କରି ଜୁଟ୍ ବ୍ୟାଗ୍, ସାଜସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ଉତ୍ପାଦର ଗୁଣବତ୍ତା ଓ ଆକର୍ଷଣୀୟ ଡିଜାଇନ୍ର ସାମଗ୍ରୀ ର ଭୁୟସୀ ପ୍ରଶଂସା କରିଥିଲେ।
ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଉତ୍ପାଦର ଗୁଣବତ୍ତା, ଡିଜାଇନ୍, ପ୍ୟାକେଜିଂ ଏବଂ ବଜାର ସଂଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପରାମର୍ଶ ଦେଇଥିଲେ। ସ୍ଥାନୀୟ କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ପାଦକୁ ବୃହତ୍ ବଜାରରେ ପହଞ୍ଚାଇବା ପାଇଁ ବିଭିନ୍ନ ସୁଯୋଗର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ।
ପରିବେଶ ଅନୁକୂଳ ପାଟ ଉତ୍ପାଦର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏଭଳି ଅଭିନବ ଉଦ୍ୟମ ସ୍ଥାନୀୟ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହିତ ଗ୍ରାମୀଣ ଜୀବିକାର ବିକାଶରେ ସହାୟକ ହେବ ଏବଂ ପ୍ରଶାସନ ପକ୍ଷରୁ ଏହିପରି ଉଦ୍ୟମକୁ ଆବଶ୍ୟକ ସହଯୋଗ ଓ ପ୍ରୋତ୍ସାହନ ନିଶ୍ଚିତ ଭାବେ ମିଳିବ ବୋଲି ଜ଼ିଲ୍ଲାପାଳ ଶ୍ରୀ ଚହ୍ଵାଣ ପ୍ରକାଶ କରିଥିଲେ l






