ଭୁବନେଶ୍ୱର - ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର (ଜେଇ) ସୁଶୀଲ କୁମାର ସିଂହଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ନିଶ୍ଚିତକରଣ ଯୋଜନା (ମନରେଗା) ଅଧୀନରେ ଏକ କାର୍ଯ୍ୟର ଚୂଡ଼ାନ୍ତ ବିଲ୍ ପାସ୍ କରିବା ପାଇଁ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ମାନେ ଧରିଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକ ଅଧୀନ ଏକ ଗ୍ରାମ ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ମନରେଗା ଯୋଜନାରେ ଏକ ମୋରମ୍/ମେଟାଲ୍ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟର ତଦାରଖ ଜଣେ ମେଟ୍ କରୁଥିଲେ। କାମ ଶେଷ ହେବା ପରେ ସେ ଗତ କିଛି ମାସ ଧରି ଚୂଡ଼ାନ୍ତ ବିଲ୍ ପାସ୍ କରିବା ପାଇଁ ସମ୍ପୃକ୍ତ ଜେଇଙ୍କୁ ଅନୁରୋଧ କରୁଥିଲେ।ୋ
ଅଭିଯୋଗ ଅନୁସାରେ, ଜେଇ ସୁଶୀଲ କୁମାର ସିଂହ ଚୂଡ଼ାନ୍ତ ବିଲ୍ ପାସ୍ କରିବା ପାଇଁ ୩୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ, ଯାହା ପ୍ରକଳ୍ପ ବ୍ୟୟର ପ୍ରାୟ ୭ ପ୍ରତିଶତ। ଅଭିଯୋଗକାରୀ ଲାଞ୍ଚ ଦେବାରେ ଅସମର୍ଥତା ପ୍ରକାଶ କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ ଦାବିରେ ଅଟଳ ରହିଥିଲେ। ଶେଷରେ ନିରୁପାୟ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗର ଯାଞ୍ଚ ପରେ ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଅଭିଯୁକ୍ତଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ କାବୁ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଜେଇ ସୁଶୀଲ କୁମାର ସିଂହଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଦନ୍ତ ଜାରି ରହିଛି।
ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଧାରା–୭ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ପି.ଏସ୍. କେସ୍ ନଂ–୧୦/୨୦୨୬ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି।






