ସମ୍ବଲପୁର - ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ପଠାଣବନ୍ଧ ଗଣେଶ ନଗରରେ ଘଟିଥିବା ଏକ ହତ୍ୟା ଘଟଣାର ତଦନ୍ତ କରି ବୁର୍ଲା ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ବୁର୍ଲା ଥାନାରେ ୩୦୬/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପୋଲିସ ସୂଚନା ଅନୁଯାୟୀ, ପଠାଣବନ୍ଧ ଗଣେଶ ନଗରର ଦୋଳାମଣି ମହାନନ୍ଦ (୫୦) ଅଭିଯୋଗ କରିଥିଲେ ଯେ, କୌଣସି ଏକ କାରଣକୁ ନେଇ ବଚସା ପରେ ତାଙ୍କ ପୁଅ ଦେବେନ୍ଦ୍ର ମହାନନ୍ଦଙ୍କୁ ନିଗମ ଓରଫ ଅଜୁ ସୁନା ନିର୍ମମ ଭାବେ ଆକ୍ରମଣ କରିଥିଲା। ଗୁରୁତର ଆହତ ଅବସ୍ଥାରେ ଦେବେନ୍ଦ୍ରଙ୍କୁ ତୁରନ୍ତ ଭୀମସାର ବୁର୍ଲାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଭିଯୁକ୍ତ ପଠାଣବନ୍ଧ, ଗଣେଶ ନଗରର ୨୫ ବର୍ଷିୟ ନିଗମ ଓରଫ ଅଜୁ ସୁନାକୁ ବୁର୍ଲା ଥାନା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ପୋଲିସ ଅଭିଯୁକ୍ତ ନିକଟରୁ ରକ୍ତଲଗା ଏକ ଧାରୁଆ ବଙ୍କା ଛୁରୀ ମଧ୍ୟ ଜବତ କରିଛି। ପୋଲିସ ରେକର୍ଡ ଅନୁଯାୟୀ, ଅଭିଯୁକ୍ତ ନିଗମ ବିରୋଧରେ ପୂର୍ବରୁ ଅବକାରୀ ଏବଂ ଏନଡିପିଏସ୍ ଆଇନ ଅଧୀନରେ ଏକାଧିକ ମାମଲା ରହିଛି।





