ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତରେ ଓଡ଼ିଶା ପୋଲିସ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଗତ ୨.୦୬.୨୦୨୬ ରୁ ୧୦.୦୭.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ପ୍ରି-ଟ୍ରାଏଲ୍ ନିଶାଦ୍ରବ୍ୟ ବିନଷ୍ଟୀକରଣ ସ୍ପେଶାଲ ଡ୍ରାଇଭ୍ ରେ ମୋଟ ୧୦୮,୯୦୪.୯ କେଜି (୧୦୮.୯୦ ମେଟ୍ରିକ ଟନ) ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସିଆଇଡି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF) ଦ୍ୱାରା ଏହି ସ୍ୱତନ୍ତ୍ର ଅଭିଯାନ ସଫଳତାର ସଫଳତାର ସହ ପରିଚାଳିତ ହେଉଛି ।
ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ସମୟରେ ବିଭିନ୍ନ ପୋଲିସ ଜିଲ୍ଲା ଏବଂ ୟୁନିଟ୍ ଗୁଡ଼ିକ ଦ୍ୱାରା ୧୦.୦୭.୨୦୨୬ ସୁଦ୍ଧା ମୋଟ ୭୮,୬୦୦.୩୮୩ କେଜି ଜବତ ଗଞ୍ଜେଇ ନଷ୍ଟ ପାଇଁ ଚିହ୍ନଟ କରାଯାଇଥିଲା। ଓଡ଼ିଶା ପୋଲିସ ମୋଟ ୧୦୮,୯୦୪.୯ କେଜି ଗଞ୍ଜେଇ ନଷ୍ଟ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୪୪.୫୨ କୋଟି ଟଙ୍କା ହେବ। ଏହି ଉଲ୍ଲେଖନୀୟ ସଫଳତା NDPS ଆକ୍ଟ ଅନୁଯାୟୀ ବହୁ ଦିନରୁ ପଡ଼ିରହିଥିବା ମାମଲା ଗୁଡ଼ିକର ସମ୍ପତ୍ତି ବିନଷ୍ଟୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଜିଲ୍ଲା ଓ ୟୁନିଟ୍ ଗୁଡ଼ିକର ସକ୍ରିୟ ପ୍ରୟାସକୁ ଦର୍ଶାଉଛି।
ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ସମସ୍ତ ଜିଲ୍ଲା ମଧ୍ୟରେ ବୌଦ୍ଧ ପୋଲିସ ସର୍ବାଧିକ ୩୭,୪୮୪.୮୮୫ କେଜି ଗଞ୍ଜେଇ ନଷ୍ଟ କରି ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ କନ୍ଧମାଳ ପୋଲିସ (୩୪,୨୪୫.୪୩୦ କେଜି), ମାଲକାନଗିରି ପୋଲିସ (୮,୯୬୯.୯୪୦ କେଜି), ଗଜପତି ପୋଲିସ (୬,୬୭୧ କେଜି), କୋରାପୁଟ ପୋଲିସ (୬,୧୫୫.୭୭୩ କେଜି) ଏବଂ ରାୟଗଡ଼ ପୋଲିସ (୫,୭୯୬.୭୦ କେଜି) ଗଞ୍ଜେଇ ନଷ୍ଟ କରିଛନ୍ତି।
ଏହି ସ୍ୱତନ୍ତ୍ର ଅଭିଯାନରେ ଅଂଶଗ୍ରହଣ କରିଥିବା ପୋଲିସ ଜିଲ୍ଲା ଏବଂ ୟୁନିଟ୍ ଗୁଡ଼ିକ ହେଲେ – ବୌଦ୍ଧ, କନ୍ଧମାଳ, ମାଲକାନଗିରି, ଗଜପତି, ରାୟଗଡ଼, କୋରାପୁଟ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ମୟୂରଭଞ୍ଜ, ନବରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ପୋଲିସ ଜିଲ୍ଲା, କେନ୍ଦୁଝର, ଗଞ୍ଜାମ, ସ୍ପେଶାଲ ଟାସ୍କ ଫୋର୍ସ (STF) ଓଡ଼ିଶା, ଏସଆରପି (SRP) ରାଉରକେଲା ଏବଂ ଏସଆରପି (SRP) କଟକ। ସେମାନଙ୍କର ମିଳିତ ପ୍ରୟାସ ଯୋଗୁଁ ଓଡ଼ିଶା ପୋଲିସ ନିଜର ମୂଳ ଲକ୍ଷ୍ୟଠାରୁ ବହୁ ଅଧିକ ପରିମାଣର ନିଶାଦ୍ରବ୍ୟ ନଷ୍ଟ କରିବାରେ ସଫଳ ହୋଇଛି।
ଏହି ଅଭିଯାନ ସମୟରେ ଓଡ଼ିଶା ପୋଲିସ ମୋଟ ୧୨ କେଜି ୩୯୮.୮୫ ଗ୍ରାମ ବ୍ରାଉନ ସୁଗାର ନଷ୍ଟ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୪.୮୦ କୋଟି ଟଙ୍କା ଏବଂ ଏହା ସହିତ ୩,୬୩୧ ବୋତଲ କଫ ସିରପ ମଧ୍ୟ ନଷ୍ଟ କରାଯାଇଛି। ବାଲେଶ୍ୱର ପୋଲିସ ୧୧ କେଜି ୨୯୩ ଗ୍ରାମ, ସ୍ପେଶାଲ ଟାସ୍କ ଫୋର୍ସ (STF) ଓଡ଼ିଶା ୧ କେଜି ୯୦ ଗ୍ରାମ ଏବଂ କେନ୍ଦୁଝର ପୋଲିସ ୧୫.୮୫ ଗ୍ରାମ ନଷ୍ଟ କରିଛନ୍ତି। ବରଗଡ଼ ପୋଲିସ ୩,୬୩୧ ବୋତଲ କଫ ସିରପ ନଷ୍ଟ କରିଛି।






