ଜୟପୁର, ୨୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲାରେ ବଢୁଛି ପାଉଡର ପନିର କାରବାର । ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ ସୁନାବେଢା, ଦାମନଯୋଡିରେ ପାଉଡର ପନିରର ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି। ଆଉ ୫ ଦିନ ପରେ ବହୁ ପ୍ରତୀକ୍ଷିତ ରାକ୍ଷୀ ପୂର୍ଣ୍ଣିମା ।
ପରମ୍ପରା ଅନୁଯାୟୀ ଏହି ପର୍ବରେ ଘରେ ଘରେ ପିଠାପଣାର ଆସର ଜମିଥାଏ । ବର୍ତ୍ତମାନ ଭଉଣୀମାନେ ଭାଇକୁ ରାକ୍ଷୀ ବାନ୍ଧିବା ବେଳେ ପାରମ୍ପରିକ ପିଠା ବଦଳରେ ସୁସ୍ୱାଦୁ ମିଠା ଖୁଆଇବାକୁ ପସନ୍ଦ କରୁଛନ୍ତି କିନ୍ତୁ ଏହି ମିଠାଗୁଡ଼ିକ କେଉଁ ଉପାଦାନରୁ ପ୍ରସ୍ତୁତ ହେଉଛି, ତାହା ପ୍ରାୟ ଲୋକେ ଜାଣନ୍ତି ନାହିଁ । ଏବେ ବଜାରରେ ପାଉଡର କ୍ଷୀରରୁ ପ୍ରସ୍ତୁତ ଛେନା, ପନିର ମିଳୁଛି । ଯାହା ଜହର ଠାରୁ କୌଣସି ଗୁଣରେ କମ୍ ନୁହେଁ । ସେଗୁଡ଼ିକର ବିକ୍ରି ଉପରେ ନିଷେଧାଜ୍ଞା ଜାରି କରାଯାଇଛି । କିଛି ବ୍ୟବସାୟୀ ଏହାକୁ ଲୁଚାଛପାରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।
ମାତ୍ର ସେଗୁଡ଼ିକ ଉପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ନିୟମିତ ଚଢ଼ଉ ହେଉ ନାହିଁ । ଫଳରେ ପ୍ରତ୍ୟେକ ଦିନ ସହରକୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ପାଉଡରରୁ ତିଆରି ଛେନା ଆସୁଛି । ସେଭଳି କିଛି ଛେନା ମଧ୍ୟ ବାହାର ରାଜ୍ୟରୁ ଆସୁଛି । ଏହି ପାଉଡର ଛେନାରୁ ପ୍ରସ୍ତୁତ ମିଠା ଜାତୀୟ ଖାଦ୍ଯ ପଦାର୍ଥ ଖାଇ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । କୋରାପୁଟ ଜିଲା ଜୟପୁର ସହରରେ ପ୍ରତିଦିନ ଯେତିକି ମିଠା ଜାତୀୟ ଖାଦ୍ଯ ପଦାର୍ଥ ପ୍ରସ୍ତୁତ ହୋଇଥାଏ ସେଥିରୁ ପ୍ରାୟ ୭୦ ପ୍ରତିଶତ ପାଉଡର କ୍ଷୀରରୁ ପ୍ରସ୍ତୁତ ହୋଇଥାଏ କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଦିନ ଯେତିକି ମିଠା ପ୍ରସ୍ତୁତ ହୋଇଥାଏ ।
କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଏହା ଠାରୁ ପ୍ରାୟ ଶହେ ଗୁଣ ଅଧିକ ମିଠା ଜାତୀୟ ଖାଦ୍ଯ ପଦାର୍ଥ ପ୍ରସ୍ତୁତ ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ମିଠାର ଚାହିଦା ଢ଼େର ବଢ଼ିଯାଇଥାଏ । ଏହି ଚାହିଦାକୁ ମେଣ୍ଟାଇବା ପାଇଁ ବ୍ୟବସାୟୀମାନେ ପାଉଡର କ୍ଷୀରର ସହାୟତା ନେଇଥାନ୍ତି । ଏନେଇ ଜିଲା ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ଥାଇ ମଧ୍ୟ ନିୟମିତ ଚଢ଼ଉ ହେଉ ନାହିଁ । ଏହି ବେଆଇନ ପାଉଡର କ୍ଷୀର ବ୍ୟବସାୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗାଈ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ବଦଳରେ ପାଉଡର କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ପେଟରୋଗ ବଢ଼ିଥାଏ ।
ଲୋକେ ଏଭଳି ଭେଜାଲ ଖାଦ୍ୟକୁ ବର୍ଜନ କରିବା ସହ ପାରମ୍ପରିକ ମିଠାକୁ ଆପଣାଇ ପାରିଲେ ଶରୀର ସୁସ୍ଥ ରହିବା ସହ ଆମ ପରମ୍ପରା ମଧ୍ୟ ବଞ୍ଚି ରହିପାରିବ ବୋଲି ସଚେତନ ନାଗରିକ ମାନେ ମତ ପ୍ରକାଶ କରିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ପାଇଁ ବେଆଇନ ପାଉଡରରୁ ପ୍ରସ୍ତୁତ କ୍ଷୀର, ଛେନା, ପନିର ଏବଂ ମିଠା ଜାତୀୟ ଖାଦ୍ଯ ପଦାର୍ଥ ଉପରେ କଡା ନଜର ରଖିବା ସହ ଚଢଉକୁ ଜୋରସୋର କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।




