ଭୁବନେଶ୍ୱର - ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ୧.୧୭ କୋଟି ଟଙ୍କାର ଡିଭିଡେଣ୍ଡ୍ ପ୍ରଦାନ କରିଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଟିଡିସିର ଏହି ସଫଳତା ସଂସ୍ଥାର ସୁଦୃଢ଼ ଆର୍ଥିକ ପରିଚାଳନା, ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପ୍ରତି ଥିବା ପ୍ରତିବଦ୍ଧତା ଏବଂ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଓ ଅଭିଜ୍ଞତା ପ୍ରଦାନ ଦିଗରେ ସଂସ୍ଥାର ନିରନ୍ତର ପ୍ରୟାସର ପ୍ରତିଫଳନ।
ସେ କହିଛନ୍ତି ଯେ, ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ଓଡ଼ିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବାରେ ଓଟିଡିସିର ଏହି ଅବଦାନ ଗୁରୁତ୍ୱପୂର୍ଣ୍ଣ।
ଏହି ଅବସରରେ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ସମେତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।






