ଭୁବନେଶ୍ୱର , ୦୯ ଅଗଷ୍ଟ - ପ୍ରଶ୍ନପତ୍ର ପ୍ରଘଟ ଓ ସରକାରୀ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଭବନ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଯାଇଥିଲା । ହଜାର ହଜାର ଯୁବ କଂଗ୍ରେସ କର୍ମୀମାନେ ମଶାଲ ଧରି ଜନପଥରେ ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷାନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ରାଲି କରିଥିଲେ ।
ଏହି ଶୋଭାଯାତ୍ରାରେ ଯୋଗଦେଇ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଛାତ୍ର ସ୍ୱାର୍ଥ ବିରୋଧି ନୀତି ବିରୁଦ୍ଧରେ ଆଜିର ଶୋଭାଯାତ୍ରା ଅଭିପ୍ରେତ । ଜନନାୟକ ରାହୁଲ ଗାନ୍ଧୀ ଦେଶର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଏବଂ ସେମାନଙ୍କୁ ସରକାର କିପରି ଶୋଷଣ କରୁଛନ୍ତି ସେ ବାବଦରେ ପ୍ରାଞ୍ଜଳ ଭାବରେ ପ୍ରକାଶ କରିଛନ୍ତି । ଦିଲ୍ଲୀରେ ଯୁବକ ଓ ଛାତ୍ରମାନଙ୍କର ଆନ୍ଦୋଳନ ନିଆଁ ସାରା ଦେଶକୁ ବ୍ୟାପିଛି । ମୋଦୀ ସରକାର ଏହାକୁ ଲାଠି, ଟିୟର ଗ୍ୟାସ, ରବର ବୁଲେଟ ଓ ଗୁଳିମାରି ଚପାଇ ଦେଇପାରିବେ ନାହିଁ । ଛାତ୍ର ଓ ଯୁବକମାନଙ୍କର ଶାଣିତ ପ୍ରତିବାଦକୁ ରାହୁଲ ଗାନ୍ଧୀଙ୍କର ପୂର୍ଣ୍ଣ ସମର୍ଥନ ରହିଛି ।
ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଲେ ଯେ, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇପଡିଛି । ଯେତେବେଳେ ସାରାଦେଶରେ ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା ସେହି ସମୟରେ ଓଡ଼ିଶାରେ ମଧ୍ୟ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେଲା । ତେଣୁ ପ୍ରଶ୍ନପତ୍ର ପ୍ରଘଟ ରୋକିବାରେ ସରକାର ଆଦୌ ସମର୍ଥନ ନୁହଁନ୍ତି ଏବଂ ଏଥିପ୍ରତି ସରକାର ଉଦାସୀନ ମଧ୍ୟ ରହିଛନ୍ତି । ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପାଠ୍ୟ ପୁସ୍ତକରେ ୨୦୦୦ ସାଙ୍ଘାତିକ ତ୍ରୁଟି ପାଇଁ ସରକାର ଦୋଷ ଦେଉନାହାନ୍ତି । ଏ ସରକାର ଛାତ୍ରଛାତ୍ରୀ ବିରୋଧି ସରକାର । ଏ ସରକାରକୁ ହଟାଇବା ପାଇଁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ପ୍ରତିବାଦ ଶାଣିତ ହେବା ଦରକାର ।
ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଶ୍ରୀ ଲାଲଜୀ ଭାଇ ଦେଶାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନନାୟକ ରାହୁଲ ଗାନ୍ଧୀଙ୍କର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ରହିଥିବା ଆବେଗ ଉପରେ ଆଲୋକପାତ କରିଥିଲେ ଏବଂ ବିଶେଷକରି ଓଡ଼ିଶାରେ ମୋହନ ସରକାରରେ ଶିକ୍ଷା ବ୍ୟବସ୍ଥା କିପରି ଅଗ୍ରହଣୀୟ ହୋଇପଡ଼ିଛି ସେ ସଂପର୍କରେ କହିଥିଲେ ।
ପ୍ରଦେଶ ଯୁବକଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଥିଲେ ଯେ କେଜି ଠାରୁ ପିଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ୫୦ ପ୍ରତିଶତ ଶିକ୍ଷକ ନାହାନ୍ତି । ସରକାରୀ ସ୍କୁଲ କଲେଜରେ ପାନୀୟଜଳ ବ୍ୟବସ୍ଥା, ଭିଲିଭୂମି, କମ୍ପ୍ୟୁଟର ଶିକ୍ଷା, ଖେଳ ପଡିଆ, ଶୌଚାଳୟ ଏବଂ ବିଜୁଳି ବ୍ୟବସ୍ଥା ଅତି ନୈରାଶ୍ୟଜନକ ସ୍ଥିତିରେ ଅଛି । ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା ଦାବି କରାଯାଉଛି ।
ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତର ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମାନସ ଚୌଧୁରୀ, ମନୋଜ ରାଉତ, ଅଜୟ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।





