ପୁରୀ, ୩୦ ଜୁନ୍ - ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଆଜି ଠାରୁ ପୂଜା ପାଉଛନ୍ତି ପଟ୍ଟି ଦିଅଁ । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଜାରି ରଖିଛନ୍ତି । ଜ୍ୱରରୁ ଉପଶମ ପାଇଁ ଶ୍ରୀଜୀଉମାନଙ୍କ ଗୁପ୍ତ ସେବା ଜାରି ରହିଛି । ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ଏହି ୧୫ ଦିନ ତୁଳସୀ ଲାଗି ହେବା ପରିବର୍ତେ ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି ହୋଇଥାଏ । ପଣା ଏବଂ ଚକଟା ଭୋଗ ଲାଗି ହୋଇଥାଏ ।
ଏହି ସମୟରେ ଶ୍ରୀମନ୍ଦିରରେ ପଟ୍ଟି ଦିଅଁ ପୂଜା ପାଇବାର ପରମ୍ପରା ରହିଛି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ପଟ୍ଟି ଦିଅଁ ସ୍ଥାପନା ହେବା ସହ ପୂଜିତ ହେଉଛନ୍ତି । ନୀତି ଓ ପରମ୍ପରା ଅନୁଯାୟୀ ପଟ୍ଟି ଦିଅଁଙ୍କ ପୂଜାର୍ଚ୍ଚନା ଚାଲିଛି । ଜୟ ବିଜୟ ଦ୍ୱାର ନିକଟରେ ଖଟ ଉପରେ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହଙ୍କ ପଟ୍ଟିଦିଅଁ ପୂଜା ପାଉଛନ୍ତି । ଯାହାକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ । ଅନ୍ୟପକ୍ଷରେ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଛି ।





