ସମ୍ବଲପୁର, ୧୮ ଅଗଷ୍ଟ (ହି.ସ.)- ହୀରାକୁଦ ଜଳଭଣ୍ଡାରର ୧୫ ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ମଙ୍ଗଳବାର ସକାଳ ୯ଟା ସୁଦ୍ଧା ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ମଧ୍ୟାହ୍ନ ସୁଦ୍ଧା ହୀରାକୁଦର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ସନ୍ଧ୍ୟା ସୁଦ୍ଧା ପର୍ଯ୍ୟାୟ କ୍ରମେ ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବର୍ତମାନ ୧୫ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଜଳଭଣ୍ଡାରରର ବାମପାର୍ଶ୍ୱ ଡାଇକ୍ ର ୧୦ଟି ଓ ଡାହାଣପାର୍ଶ୍ୱର ୫ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ୨୮ହଜାର ୪୫୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୯ ହଜାର ୭୪୯ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି ।
ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୯୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ୪୦.୧୭ ମି.ମି. ଏବଂ ତଳ ମୁଣ୍ଡରେ ହାରାହାରି ୧୯.୬୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ



