ଧର୍ମଶାଳା, ୨୮ ଜୁନ୍ - ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ କାଙ୍ଗଡ଼ା ଜିଲ୍ଲାର ଏକ ଦୁର୍ଗମ ଅଂଚଳ ବଡା ଭଙ୍ଗାଲ ପରିଦର୍ଶନ କରି ବିପର୍ଯ୍ୟୟ ପ୍ରଭାବିତ ଅଂଚଳର ଅନୁଧ୍ୟାନ କରିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ କଥାବାର୍ତା କରି ସେମାନଙ୍କ ସମସ୍ୟା ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍ ଆଖପାଖରେ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ଏବଂ ପ୍ରଶାସନିକ ଅଧିକାରୀଙ୍କ ଠାରୁ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟ ବିଷୟରେ ବିସ୍ତୃତ ସୂଚନା ପ୍ରାପ୍ତ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଏଠାକୁ ରାଜନୀତି କରିବାକୁ ଆସିନାହିଁ, ଯନ୍ତ୍ରଣା ଓ ଦୁଃଖ ବାଂଟିବାକୁ ଆସିଛି।
ବଡ଼ ଭଙ୍ଗାଲ ପର୍ଯ୍ୟନ୍ତ ସଡ଼କ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କିଲୋମିଟର ପାଇଁ ଅଲଗା ଅଲଗା ଟେଣ୍ଡର ଆହ୍ୱାନ କରିବାକୁ ଏବଂ ପ୍ରାଥମିକତା ଭିତିରେ କାର୍ଯ୍ୟ କaରିବାକୁ କହିଛନ୍ତି । ସଡ଼କ ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆକାଶ ମାର୍ଗରେ ପହଂଚାଇବା ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ସେ ବଡ଼ ଭଙ୍ଗାଲ ସଡ଼କ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ନେଇ ଘୋଷଣା କରିଥିଲେ ।
ଏହି ଅଂଚଳରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଗାଁରେ ଉପଯୁକ୍ତ କ୍ଷମତାସମ୍ପନ୍ନ ଡିଜେଲ ଜେନେରେଟର ଲଗାଇବା ଏବଂ ସମସ୍ତ ଘରେ ବିଦ୍ୟୁତ ସଂଯୋଗ ଓ ୱାରିଂ ବ୍ୟବସ୍ଥା ପାଇଁ ସର୍ଭେ କରିବା ଲାଗି ସେ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଉପର ବଡ଼ ଭଙ୍ଗାଲ ଏବଂ ତଳ ବଡ଼ ଭଙ୍ଗାଲ ପାଇଁ ଗୋଟିଏ ଲେଖାଏଁ ଡିଜେଲ ଜେନସେଟ ଯୋଗାଇ ଦେବାକୁ ଘୋଷଣା କରିଥିଲେ ଏବଂ ସଡ଼କ ସୁବିଧା ଉପଲବ୍ଧ ନହେବା ପର୍ଯ୍ୟନ୍ତ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ଜାରି ରଖିବେ ବୋଲି ଆଶ୍ୱାସନା ଦେଇଥିଲେ । ଏହା ବ୍ୟତୀତ ବନ୍ୟା ଦ୍ୱାରା ପ୍ରଭାବିତ ଜଳବିଦ୍ୟୁତ ପ୍ରକଳ୍ପକୁ ପୁନଃ ସଂଚାଳିତ କରିବା ଏବଂ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।





