ଲୋଜାନ୍, ଅଗଷ୍ଟ 22 (ହି.ସ)
ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ଶୁକ୍ରବାର ଲୁସାନ୍ ଡାଇମଣ୍ଡ ଲିଗ୍ରେ ଚଳିତ ସିଜନର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ୮୮.୦୫ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। କିନ୍ତୁ ମାତ୍ର ୯ ସେଣ୍ଟିମିଟର ପାଇଁ ସେ ଟାଇଟଲ୍ ଜିତିବାରୁ ବଞ୍ଚିତ ହୋଇଥିଲେ। ଶ୍ରୀଲଙ୍କାର ରୁମେଶ ପଥିରାଗେ ୮୮.୧୪ ମିଟର ଥ୍ରୋ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ।
ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୬.୬୯ ମିଟରର ଶ୍ରେଷ୍ଠ ଥ୍ରୋ ସହ ତୃତୀୟ ସ୍ଥାନରେ ରହିଥିଲେ।
୨୦୨୬ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ପରେ ମଇଦାନକୁ ଫେରିଥିବା ନୀରଜ ପ୍ରଥମ ପ୍ରୟାସରେ ୮୩.୫୪ ମିଟର ଥ୍ରୋ କରିଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ୮୮.୦୫ ମିଟର ଦୂରତା ହାସଲ କରି ଚଳିତ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ରାଉଣ୍ଡ ପରେ ନୀରଜ ଶୀର୍ଷସ୍ଥାନରେ ଥିଲେ।
ଗତବର୍ଷ ଜୁନ୍ରେ ପ୍ୟାରିସ୍ ଡାଇମଣ୍ଡ ଲିଗ୍ ପରେ ଏହା ନୀରଜଙ୍କ ପ୍ରଥମ ୮୮ ମିଟରରୁ ଅଧିକ ଥ୍ରୋ ମଧ୍ୟ ଥିଲା। ତେବେ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା ରୁମେଶ ପଥିରାଗେ ତୃତୀୟ ପ୍ରୟାସରେ ୮୮.୧୪ ମିଟର ଥ୍ରୋ କରି ନୀରଜଙ୍କୁ ପଛରେ ପକାଇଥିଲେ।
ଉଭୟ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟରେ ମାତ୍ର ୯ ସେଣ୍ଟିମିଟରର ତଫାତ ଥିଲା। କିନ୍ତୁ ଏହି ସାମାନ୍ୟ ତଫାତ ପଥିରାଗେଙ୍କ ପାଇଁ ଟାଇଟଲ୍ ଜିତିବାକୁ ଯଥେଷ୍ଟ ହୋଇଥିଲା। ଚଳିତ ବର୍ଷ ଡାଇମଣ୍ଡ ଲିଗ୍ରେ ଏହା ପଥିରାଗେଙ୍କ ତୃତୀୟ ବିଜୟ। ଏହା ପୂର୍ବରୁ ସେ ରୋମ୍ ଏବଂ ଦୋହାରେ ମଧ୍ୟ ଟାଇଟଲ୍ ଜିତିଥିଲେ।
ଏହି ଫଳାଫଳ ପରେ ପଥିରାଗେଙ୍କ ବିପକ୍ଷରେ ନୀରଜଙ୍କ ମୁହାଁମୁହିଁ ରେକର୍ଡ ୦-୩ ହୋଇଛି। ଏବେ ନୀରଜଙ୍କ ନଜର ଆଗାମୀ ଏସିଆନ୍ ଗେମ୍ସ ଉପରେ ରହିବ। ସେଠାରେ ସିଜନର ପ୍ରଥମ ଟାଇଟଲ୍ ଜିତି ପୁଣିଥରେ ବିଜୟ ଧାରାକୁ ଫେରିବାକୁ ସେ ଲକ୍ଷ୍ୟ ରଖିବେ।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ



