ୱେଲିଙ୍ଗଟନ, ୨୪ ଅଗଷ୍ଟ :- ନ୍ୟୁଜିଲାଣ୍ଡ ସରକାର ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ସଂସଦରେ ଏକ ବିଧେୟକ ଉପସ୍ଥାପନ କରିବାକୁ ଘୋଷଣା କରିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ନିୟମ ପାଳନ ନକରୁଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ସେମାନଙ୍କ ବିଶ୍ୱବ୍ୟାପୀ ରାଜସ୍ୱର ୧୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ।
ଫ୍ରାନ୍ସର ଟେଲିଭିଜନ ନେଟୱର୍କ ଫ୍ରାନ୍ସ ୨୪
ତଥା ଜିଓ ଟିଭି ନ୍ୟୁଜ ଅନୁଯାୟୀ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ କହିଛନ୍ତି ଯେ ପିଲାମାନଙ୍କୁ ସୋସିଆଲ ମିଡିଆର ସମ୍ଭାବ୍ୟ କ୍ଷତିରୁ ବଂଚାଇବା ପାଇଁ ସରକାର ଏହି ପଦକ୍ଷେପ ନେଉଛି। କମ ବୟସର ପିଲାମାନେ କ୍ଷତିକାରକ କଂଟେଟ, ନିଶା ସୃଷ୍ଟି କରୁଥିବା ପ୍ରଯୁକ୍ତି ଏବଂ ଅନଲାଇନ ଚାପର ସମ୍ମୁଖୀନ ହେଉଛନ୍ତି, ଯାହାର ପ୍ରଭାବ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ, ନିଦ, ପାଠପଢ଼ା ଏବଂ ପାରିବାରିକ ଜୀବନ ଉପରେ ପଡ଼ିପାରେ।
ପ୍ରସ୍ତାବିତ ଆଇନ ଅନୁଯାୟୀ ଇନଷ୍ଟାଗ୍ରାମ, ଫେସବୁକ, ଟିକଟକ ଏବଂ ସ୍ନାପଚାଟ ଭଳି ପ୍ଲାଟଫର୍ମଗୁଡ଼ିକୁ ଏହା ସୁନିଶ୍ଚିତ କରିବା ପାଇଁ ଉଚିତ ପଦକ୍ଷେପ ନେବାକୁ ପଡ଼ିବ ଯେ ସେମାନଙ୍କ ୟୁଜରମାନଙ୍କ ବୟସ ୧୬ ବର୍ଷରୁ ଅଧିକ। ଏଥିପାଇଁ ବର୍ତମାନର ଆକାଉଂଟର ସୂଚନା, ମୁହଁରୁ ବୟସ ଅନୁମାନ କରୁଥିବା ପ୍ରଯୁକ୍ତି, ଡିଜିଟାଲ ଆଇଡି ଏବଂ ସରକାରୀ ପରିଚୟପତ୍ର ଭଳି ପଦ୍ଧତିର ବ୍ୟବହାର କରାଯାଇପାରେ।
ଶିକ୍ଷା ମନ୍ତ୍ରୀ ଏରିକା ଷ୍ଟାନଫୋର୍ଡ କହିଛନ୍ତି ଯେ ବିଧେୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଆଇନଗତ ଦାୟିତ୍ୱ ଲାଗୁ କରିବ। ସେ ସ୍ପଷ୍ଟ କରିଛନ୍ତି ଯେ ପିଲାମାନେ କିମ୍ବା ସେମାନଙ୍କ ମାତାପିତାଙ୍କ ଉପରେ କୌଣସି ପ୍ରକାରର ଜରିମାନା ଲଗାଇବାର ପ୍ରସ୍ତାବ ନାହିଁ। ତେବେ, ବିଧେୟକକୁ ସଂସଦରେ ପର୍ଯ୍ୟାପ୍ତ ସମର୍ଥନ ମିଳିବା ନେଇ ପ୍ରଶ୍ନ ଉଠୁଛି। ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ମେଂଟ ସହଯୋଗୀ ନ୍ୟୁଜିଲାଣ୍ଡ ଫର୍ଷ୍ଟ ପାର୍ଟି ଏହାର ବିରୋଧ କରିବାର ସଙ୍କେତ ଦେଇଛି। ପାର୍ଟି କହିଛି ଯେ ଅଷ୍ଟ୍ରେଲିଆରେ ଲାଗୁ ହୋଇଥିବା ଏହିପରି ଆଇନର ଅଭିଜ୍ଞତାକୁ ଦେଖି ପ୍ରସ୍ତାବିତ ପ୍ରତିବନ୍ଧକକୁ ସମର୍ଥନ କରିବା କଷ୍ଟକର।



