ପାଲଲହଡା : ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଅଞ୍ଚଳରେ ନୂତନ ବିଦେଶୀ ମଦ ଦୋକାନକୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ସ୍ଥାନାନ୍ତର କରିବା ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଆଜି ତୀବ୍ର ରୂପ ନେଇଛି। ଶତାଧିକ ମହିଳା ଓ ପୁରୁଷ ଅବକାରୀ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପାଲଲହଡା ଉପଖଣ୍ଡର ବିଭିନ୍ନ ହୋଟେଲ ଓ ଢାବାରେ ଦୀର୍ଘଦିନ ଧରି ଚୋରା ମଦ କାରବାର ଚାଲିଆସୁଥିବା ସତ୍ତ୍ୱେ ଅବକାରୀ ବିଭାଗ ପକ୍ଷରୁ ପ୍ରଭାବୀ ପଦକ୍ଷେପ ନିଆଯାଉନାହିଁ। ଏପରି ସ୍ଥିତିରେ ଜନଗହଳିପୂର୍ଣ୍ଣ ଉଦିତନଗର ଅଞ୍ଚଳରେ ନୂତନ ବିଦେଶୀ ମଦ ଦୋକାନ ଖୋଲାଯାଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଆହୁରି ବଢ଼ିଯାଇଛି। ଏହି ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଉଦିତନଗର ସାହିର ଶତାଧିକ ମହିଳା ଓ ପୁରୁଷ ପୂର୍ବରୁ ପାଲଲହଡା ଥାନା, ଅବକାରୀ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ଏକାଧିକ ଥର ଲିଖିତ ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀଙ୍କ କହିବାନୁସାରେ, ବସ୍ତି, ବିଦ୍ୟାଳୟ ଓ ଜନଗହଳିପୂର୍ଣ୍ଣ ସ୍ଥାନ ନିକଟରେ ମଦ ଦୋକାନ ରହିବା ଦ୍ୱାରା ସାମାଜିକ ପରିବେଶ ନଷ୍ଟ ହେବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଭାବ ପଡ଼ୁଛି।
ସେଥିପାଇଁ ଦୋକାନକୁ ତୁରନ୍ତ ସହର ବାହାରକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଗତକାଲି ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ମଦ ଦୋକାନ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ। ଆଜି ସେମାନେ ଅବକାରୀ କାର୍ଯ୍ୟାଳୟ ଘେରାଉ କରି ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲା। ଅବକାରୀ ଅଧକାରୀ ଓ ଆନ୍ଦୋଳନ କାରି ଙ୍କ ମଧ୍ୟରେ ବହୁ ସମୟ କଥା କଟା କଟି ହୋଇଥିଲା l ପରିସ୍ଥିତି କୁ ଆଖି ଆଗରେ ରଖି ପାଲଲହଡା ଥାନା ଅଧକାରୀ ପ୍ରଦୀପ ମହlନ୍ତ ଓ ତହସିଲଦାର ଶ୍ରୀମତୀ ଆକାଂକ୍ଷା ମହାପାତ୍ର ଅବକାରୀ ଅଫିସ କୁ ଯାଇ ଆନ୍ଦୋଳନ କାରି ଙ୍କ ସହିତ ଆଲୋଚନା କରି ଉଦିତ ନଗର ସ୍ଥିତ ବିଦେଶୀ ମଦ ଦୋକାନ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବା ର ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ କlରି ମାନେ ଆନ୍ଦୋଳନ କୁ ସ୍ଥଗିତ ରହିଥିବା ଜଣା ପଡିଛି l



