ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.)- ଏବେ ସବୁଠି ବୃଦ୍ଧି ପାଉଛି ପ୍ଲାଷ୍ଟିକର ବ୍ୟବହାର। ଆମ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ଏମିତି ଜଡ଼ିତ ହୋଇଯାଇଛି ଯେ ନା ତାକୁ ରଖି ହେଉଛି ନା ଛାଡି ହେଉଛି। ଘରକରଣା ସାମଗ୍ରୀ ସହ ବିଭିନ୍ନ ସୌଖିନ ଜିନିଷ ସବୁ ପ୍ଲାଷ୍ଟିକରେ ତିଆରି ହେଉଛି। ଏହା କିନ୍ତୁ ପରିବେଶ ପାଇଁ ଅତ୍ୟନ୍ତ ବିପଦ ଜନକ । ମାଟିରେ ଏହା ମିଶୁ ନଥିବାରୁ ପ୍ରଦୂଷଣ ବୃଦ୍ଧି କରୁଛି ଓ ପ୍ରାଣୀ ଜଗତ ପାଇଁ ବିପଦ ଟାଣି ଆଣୁଛି। ବିଶେଷ କରି ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଡ଼ଟ୍ ପେନ୍ ପରିବେଶ ପ୍ରଦୂଷଣର ମୁଖ୍ୟ ଭୂମିକା ନିର୍ବାହ କରୁଛି। ଏହାର ମୁକାବିଲା ପାଇଁ ଜଣେ ଯୁବକ ଏବେ କାଗଜ, ପତ୍ର, କାଠ ଆଦିରେ ତିଆରି କରୁଛନ୍ତି ଡ଼ଟ୍ ପେନ୍। ଅଦରକାରୀ କାଗଜ ଶହ ବାଉଁଶ ଓ ପତ୍ରରେ ଡ଼ଟ୍ ପେନ୍ ତିଆରି କରି ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଯୁବକ ଆଉ ଏହାକୁ ବହୁଳ ବ୍ୟବହାର ଓ ନିର୍ମାଣ ପାଇଁ ଏସଏଚଜି ଗ୍ରୁପର ମହିଳା ମାନଙ୍କୁ ମଧ୍ୟ ଦେଉଛନ୍ତି ତାଲିମ। ଏପରି ମହତ୍ ଉଦ୍ଦେଶ୍ୟରେ ଲାଗି ପଡ଼ିଥିବା ଯୁବକ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକର ନେହେନା ଗାଁରେ ରହୁଥିବା ପ୍ରଭାକର ଦଣ୍ଡସେନା ଓ ତାଙ୍କ ଧର୍ମପତ୍ନୀ ସୌଭାଙ୍ଗିନୀ ଦଣ୍ଡସେନା। ପ୍ରଭାକର ଜଣେ ଓକିଲ। ଆଇନକୁ ପେଶା ଭାବରେ ଗ୍ରହଣ କରିଥିବା ପ୍ରଭାକରଙ୍କ ନିଶା କିନ୍ତୁ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା। ବିଶେଷ କରି ଆମେ ବ୍ୟବହାର କରୁଥିବା ଡ଼ଟ୍ ପେନକୁ ନେଇ ତାଙ୍କରି ଅନେକ ଚିନ୍ତା। ସେ କହନ୍ତି ଆମ ଦେଶରେ ପ୍ରତିଦିନ ଅଶି ଟନ ଓ ବର୍ଷକୁ ତିରିଶ ହଜାର ମ୍ୟାଟ୍ରିକ ଟନ ପ୍ଲାଷ୍ଟିକ ଡ଼ଟ୍ ପେନ୍ ବ୍ୟବହାର କରାଯାଏ। ଯାହାକୁ ବ୍ୟବହାର କରି ଫିଙ୍ଗି ଦିଆଯାଏ ଓ ତାହା ଆବର୍ଜନାରେ ପରିଣତ ହୁଏ। ଏହା ମାଟିରେ ମିଶୁ ନଥିବାରୁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟି ଯାଏ। ଏହା ତାଙ୍କୁ ଚିନ୍ତାରେ ପକାଇ ଥିବାରୁ ସେ ପରିବେଶ ଅନୁକୂଳ ଡ଼ଟ୍ ପେନ୍ ନିର୍ମାଣ ପାଇଁ ଚିନ୍ତା କଲେ। ଏହି ନୂଆ ଚିନ୍ତା ଧାରାରେ ଗୁଣ୍ଡୁଚି ମୂଷା ଭଳି ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ଅଦରକାରୀ କାଗଜ ସହ ବାଉଁଶ ଓ ତାଳପତ୍ର ଦ୍ୱାରା ଡ଼ଟ୍ ପେନ୍ ନିର୍ମାଣ କଲେ। ପରେ ଗ୍ରାମର ମାଆ ଗାୟତ୍ରୀ ଏସଏଚଜି ମହିଳାଙ୍କୁ ଏହା ଶିଖାଇଲେ। ସେ ଡ଼ଟ୍ ପେନ୍ ତିଆରି କରି ସେହି ଡ଼ଟ୍ ପେନ୍ ରେ ପିଜୁଳି, ଲେମ୍ବୁ, କମଳା, ଡାଳିମ୍ବ ଭଳି ମଞ୍ଜିକୁ ଖଞ୍ଜି ଦିଅନ୍ତି। ଯାହାଦ୍ଵାରା ତାକୁ ବ୍ୟବହାର ପରେ ଫିଙ୍ଗିଦେଲେ ସେଇଠୁ ଗଛଟିଏ ମଧ୍ୟ ସୃଷ୍ଟି ହେବ। ଏହି ଡ଼ଟ୍ ପେନ୍ ବହୁତ୍ ସୁନ୍ଦର ଓ ଲେଖିବାକୁ ଭଲ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି। ଆମ ଯେତେ ସଂଖ୍ୟାରେ ପ୍ଲାଷ୍ଟିକ ପେନ୍ ବ୍ୟବହାର କରୁଛୁ। ତାହା ବ୍ୟବହାର ପରେ ଆମେ ଫିଙ୍ଗି ଦେଉ ଫଳରେ ଏହି ପ୍ଲାଷ୍ଟିକ ପେନ୍ ଆମ ପରିବେଶକୁ ନଷ୍ଟ କରୁଛି। ଏହି ପ୍ଲାଷ୍ଟିକ ପେନ୍ ବଦଳରେ ଯଦି କାଗଜ ବାଉଁଶ ଓ ପତ୍ରରେ ତିଆରି ଡ଼ଟ୍ ପେନ୍ ବ୍ୟବହାର ହୁଏ ଆମ ପରିବେଶ ସୁରକ୍ଷିତ ହେବ। ଏହି ପେନ୍ ବ୍ୟବହୃତ ପରେ ଫିଙ୍ଗି ଦେଲେ ସେଥିରୁ ଏକ ଗଛ ସୃଷ୍ଟି ହେବ। ଏହାକୁ ଦୃଷ୍ଟି ଦେଇ ପ୍ରତିଦିନ ନେହେନା ଗାଁ ର ବିଭିନ୍ନ ଏସଏଚଜି ଗ୍ରୁପର ୧୦ ଜଣ ମହିଳା ଡ଼ଟ୍ ପେନ୍ ତିଆରି କରୁଛନ୍ତି । ଏହି ପେନ୍ ର ବହୁଳ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏହି ଡ଼ଟ୍ ପାଇଁ ପ୍ରଭାକର ହାତରୁ ଖର୍ଚ୍ଚ କରୁଛନ୍ତି ଓ ଲୋକଙ୍କୁ ବାଣ୍ଟୁଛନ୍ତି। ସରକାରୀ ପ୍ରୋତ୍ସାହନ ମିଳିଲେ ଏହାର ପ୍ରଚାର ପ୍ରସାର ସହ ସେମାନେ ଦୁଇ ପଇସା ରୋଜଗାର କରି ପାରନ୍ତେ ବୋଲି ସେ କହନ୍ତି।
ଏନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ପଚାରିବାରୁ ଯଦି ଏହା ସତ୍ୟ ତାହାହେଲେ ତାଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ। ପ୍ରଭାକର ଦଣ୍ଡସେନା ଓ ଏସଏଚଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଡ଼ଟ୍ ପେନ୍ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିପାରିଛି । ଏପରି ପେନ୍ ଅଧିକରୁ ଅଧିକ ତିଆରି କରାଗଲେ ପ୍ଲାଷ୍ଟିକ ମୁକ୍ତ ବିଶ୍ଵ ପାଇଁ ଗୋଟିଏ ପାଦ ଆଗକୁ ଯାଇ ପାରିବ।





