ଝାରସୁଗୁଡା, ୨୨ ଅଗଷ୍ଟ (ହି.ସ.)- ଲଇକେରା ବ୍ଲକ ଅଞ୍ଚଳରେ ବିପର୍ଯ୍ୟସ୍ତ ସଡ଼କ, ଭଙ୍ଗା ବ୍ରିଜ୍ ଏବଂ ବର୍ଷାଜନିତ କ୍ଷୟକ୍ଷତିର ଶିକାର ପରିବାରଙ୍କୁ ସହାୟତା ମିଳୁନଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଜନପ୍ରତିନିଧି ଓ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶନିବାର ଲଇକେରା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନିକ ଅବହେଳା ଏବଂ ବିଧାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରାଯାଇଥିଲା।
ସମ୍ମିଳନୀରେ କୁହାଯାଇଥିଲା ଯେ, ଗତବର୍ଷ ପ୍ରବଳ ବର୍ଷା ଯୋଗୁଁ ଲଇକେରା ବ୍ଲକର ପାକେଲପଡ଼ା, ତିଲେଇମାଲ, ଜାମମାଲ ଆଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। ଅନେକ ପରିବାରଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ବିଧାୟକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଦୀର୍ଘ ସମୟ ପରେ ମଧ୍ୟ ଅନେକ କ୍ଷତିଗ୍ରସ୍ତ ଚାଷୀ ଓ ପରିବାର ସରକାରୀ ସହାୟତା କିମ୍ବା କ୍ଷତିପୂରଣରୁ ବଞ୍ଚିତ ଅଛନ୍ତି।
ସେହିପରି ରେଙ୍ଗାଲବେଡ଼ାରୁ ବାଗଡିହି ଶିବମନ୍ଦିର ନିକଟସ୍ଥ ଆରଏମସି ମାର୍କେଟିଂ ରୋଡ୍, ଡୁମେରମୁଣ୍ଡା-ସାନଝୁରିଆମ୍ ବାଇପାସ୍ ଏବଂ କୁଲେମୁରା-ମୁଦ୍ରାଜୋର ବ୍ରିଜ୍ର ଦୁରବସ୍ଥା ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଥିଲା। ଗତବର୍ଷ ବର୍ଷାରେ କୁଲେମୁରା-ମୁଦ୍ରାଜୋର ବ୍ରିଜ୍ ଭୁଶୁଡ଼ି ପଡ଼ିବା ପରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ରୋଗୀ ଓ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଥିବା କୁହାଯାଇଥିଲା। ବ୍ରିଜ୍ ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ ବର୍ଷେ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି।
ଜନପ୍ରତିନିଧି ଓ ବିଜେଡି କର୍ମକର୍ତ୍ତାମାନେ ପ୍ରଶାସନିକ ଅଧିକାରୀମାନେ କାଗଜପତ୍ରରେ ସୀମିତ ନରହି ଘଟଣାସ୍ଥଳ ପରିଦର୍ଶନ କରି ତୃଣମୂଳସ୍ତରର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଦାବି କରିଥିଲେ। ଏଥିସହ ବିପର୍ଯ୍ୟସ୍ତ ସଡ଼କ ଓ ଭଙ୍ଗା ବ୍ରିଜ୍ର ତୁରନ୍ତ ମରାମତି, କୁଲେମୁରା-ମୁଦ୍ରାଜୋର ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ଏବଂ ବର୍ଷାଜନିତ କ୍ଷତିର ଶିକାର ପରିବାରଙ୍କୁ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ରଖାଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭାପତି ତୁଲାବତୀ ମିଞ୍ଜ, ଲଇକେରା ବ୍ଲକ ଉପାଧ୍ୟକ୍ଷ ସଞ୍ଜିତ ନାୟକଙ୍କ ସମେତ ଅନିଲ ନାୟକ, କଲିମ୍ ଖାନ୍, ଭୋପାଳ ବେହେରା, ସବିତା ବାଗ, ଅଶୋକ ମାଝୀ, ଅଶ୍ୱିନ ବେହେରା, ଉମାଶଙ୍କର ପ୍ରଧାନ, ଜିତେନ ରଣା, ସୂରଜ ନାୟକ, ଦୁର୍ଗା ନାୟକ, ଦୋଳଗୋବିନ୍ଦ ନାୟକ, ପ୍ରଦୀପ ପଟେଲ, ଲିଙ୍ଗରାଜ ସାହୁ, ବୁଲୁ ସାହୁ, ଉପେନ୍ଦ୍ର, ବିନୋଦ ପଟେଲ, ପ୍ରଦୀପ ନାୟକ, ଅଶୋକ ପଟେଲ, ଭାଗବତୀ ବେହେରା ଓ ମହେନ୍ଦ୍ର ମହାନନ୍ଦଙ୍କ ସମେତ ବହୁ ଜନପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।





